ବାତ୍ୟା ଓ ବନ୍ୟାରେ ନଷ୍ଟ ହୋଇଛି ସ୍କୁଲ ବହିପତ୍ର, ଗଞ୍ଜାମ-ଗଜପତିର ପିଲାଙ୍କୁ ମିଳିବ ନୂଆ ବହି

ଭୁବନେଶ୍ଵର (ରାଜ୍ୟ କାହାଣୀ )ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ, ଗଜପତି ଜିଲ୍ଲା ପ୍ରଭାବିତ ହୋଇଛି । ଲୋକଙ୍କ ଘର ଜଳମଗ୍ନ ହେବା ସହ ଅନେକ ସ୍ଥାନରେ ଲୋକଙ୍କ ସବୁକିଛି ଭାସି ଯାଇଛି । ଆଉ ଏଥିର ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । ଅଧିକାଂଶ ସ୍ଥାନରେ ପିଲାଙ୍କ ବହି ନଷ୍ଟ ହୋଇ ଯାଇଛି । କିଛି ସ୍ଥାନରେ ବିଦ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।ଏଭଳି ସ୍ଥିତିରେ ପିଲାଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ନୂଆ ବହି ଯୋଗାଇବା ସହ କ୍ଷତିଗ୍ରସ୍ତ ସ୍କୁଲଗୁଡ଼ିକର ମରାମତି କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, “ମାଲକାନଗିରିରେ ସେଭଳି କିଛି କ୍ଷୟକ୍ଷତି ବିଦ୍ୟାଳୟଗୁଡ଼ିକରେ ହୋଇ ନାହିଁ । ବିଶେଷ କରି ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଦ୍ୟାଳୟମାନଙ୍କରେ ବହୁତ କ୍ଷୟକ୍ଷତି ହୋଇଛି । ପିଲାମାନଙ୍କର ବହି ନଷ୍ଟ ହୋଇ ଯାଇଛି । ଆବଶ୍ୟକତା ଅନୁସାରେ ନୂଆ ବହି ଯୋଗାଣ ପାଇଁ ବ୍ୟବସ୍ଥା କରୁଛୁ ।”ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତିଙ୍କ ସହ ଏନେଇ ଆଲୋଚନା କରାଯାଇଛି । BSE ପକ୍ଷରୁ ନବମ ଓ ଦଶମ ଶ୍ରେଣୀର ବହି ଯୋଗାଇ ଦିଆଯିବ । ଏଥିସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟମାନଙ୍କରେ ହୋଇଥିବା କ୍ଷୟକ୍ଷତି ନେଇ ରିପୋର୍ଟ ମଗା ଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

You might also like