ଉମର ଅବଦୁଲ୍ଲାଙ୍କ ସରକାରକୁ ବିପଦ !ଚମରବାଣୀ ଶୁଣାଇଲେ ୨୫ ଏନ୍ସି ବିଧାୟକ
ବିବାହକୁ ନେଇ ଚର୍ଚ୍ଚା ଭିତରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପାଇଁ ବଢ଼ିପାରେ ରାଜନୈତିକ ଅଡୁଆ ।ନ୍ୟାସନାଲ କନଫରେନ୍ସର ୨୫ ଜଣ ବିଧାୟକ ବିଦ୍ରୋହ କରିବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ସରକାରଙ୍କୁ ଭାଙ୍ଗିବାକୁ ଧମକ ଦେଉଛନ୍ତି ବୋଲି ଖବର ଆସୁଛି । ତେବେ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ ଏବଂ ଏହି କଳ୍ପନାଜଳ୍ପନା ଜାରି ରହିଛି ।୧୪ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ସମର୍ଥନ ପ୍ରତ୍ୟାହାର କରିନେବାକୁ ଧମକ ଦେଇଛନ୍ତି । ଧାର୍ଯ୍ୟ ସମୟସୀମା ମଧ୍ୟରେ ଦଳୀୟ ହାଇକମାଣ୍ଡ ଦାବି ପୂରଣ ନ କଲେ ବିଧାୟକମାନେ ରାଜଭାବନ ଅଭିମୁଖେ ପଦଯାତ୍ରା କରି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ଚେତାବନୀ ଦେଇଛନ୍ତି ।ବିଦ୍ରୋହୀ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରରେ ସମ୍ପୂର୍ଣ୍ଣ ସଂସ୍କାର ଦାବି କରିଛନ୍ତି । ଏଥିରେ ସମସ୍ତ ୮ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟାଙ୍କୁ ତୁରନ୍ତ ପଦଚ୍ୟୁତ ଲାଗି ଦାବି କରାଯାଇଛି ।
୨୫ ଏନସି ବିଧାୟକ ଏହି ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପନ କରିଛନ୍ତି ।ସ୍ୱଚ୍ଛ ଓ ଯୋଗ୍ୟତା ଆଧାରରେ ଦଳ ଏକ ସମ୍ପୂର୍ଣ୍ଣ ନୂତନ ମନ୍ତ୍ରୀ ପରିଷଦ ଗଠନ କରୁ ବୋଲି ଅସନ୍ତୁଷ୍ଟ ବିଧାୟକମାନେ ଦାବି କରିଛନ୍ତି । ସେହିଭଳି ମନ୍ତ୍ରୀ ପଦ ନିଯୁକ୍ତି ନିଷ୍ପତ୍ତି ନେବା ପାଇଁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପରିବର୍ତ୍ତେ ସମଗ୍ର ବିଧାୟକ ଦଳ ସହ ଆଲୋଚନା ନିମନ୍ତେ କୁହାଯାଇଛି ।ଏହାବ୍ୟତୀତ ବିଧାକମାନେ ଦଳର ବୈଚାରିକ ସଂକଳ୍ପ ଓ ନିର୍ବାଚନୀ ଇସ୍ତହାରକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଧାରା ୩୭୦, ଧାରା ୩୫ଏ, ଏବଂ ଅନ୍ୟାନ୍ୟ ସମ୍ବିଧାନିକ ସୁରକ୍ଷା କବଚର ପୁନରୁଦ୍ଧାର ପାଇଁ ବଳିଷ୍ଠ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ସରକାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିକଟରେ ଏହି ଦାବିଗୁଡିକୁ ଦୃଢ ଭାବେ ଉପସ୍ଥାପନ କରନ୍ତୁ ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ।ତେବେ ଏନେଇ କୌଣସି ବିଧାୟକ ଏଯାଏଁ ସାର୍ବଜନୀନ ଭାବେ ସମର୍ଥନ ପ୍ରତ୍ୟାହାର ଘୋଷଣା କରିନାହାନ୍ତି ।