ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ହେଲେ ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ
ଭାରତୀୟ ବାୟୁସେନା ନୂଆ ମୁଖ୍ୟ ଭାବରେ ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ ଶନିବାର ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ନେଇଛନ୍ତି। ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହ PVSM, AVSM ଶନିବାର ୨୮ତମ ବାୟୁସେନା ମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି। ୧୯୮୪ ଡିସେମ୍ବର ୨୧ରୁ ୨୦୨୬ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦୀର୍ଘ ୪୨ ବର୍ଷର ସେବା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଗତ ୬ ଅକ୍ଟୋବରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଶୁତୋଷ ଦୀକ୍ଷିତଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲା।୧୯୬୬ ଡିସେମ୍ବର ୯ରେ ଜନ୍ମଗ୍ରହଣ କରିଥିବା ଆଶୁତୋଷ ଦୀକ୍ଷିତ ୧୯୮୬ ଡିସେମ୍ବର ୬ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ପ୍ରାୟ ୪୦ ବର୍ଷର ସାମରିକ କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ୍ ଓ ରଣନୈତିକ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କର ୩୫୦୦ ଘଣ୍ଟାରୁ ଅଧିକ ବିମାନ ଉଡ଼ାଣ ଅଭିଜ୍ଞତା ରହିଛି।ଉପ ବାୟୁସେନା ମୁଖ୍ୟ ହେବା ପୂର୍ବରୁ ଆଶୁତୋଷ ଦୀକ୍ଷିତ ମୁଖ୍ୟାଳୟରେ ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ଟୁ ଚେୟାରମ୍ୟାନ୍, ଚିଫ୍ସ ଅଫ୍ ଷ୍ଟାଫ୍ କମିଟି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ ସେଣ୍ଟ୍ରାଲ୍ ଏୟାର କମାଣ୍ଡର ଏୟାର ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଥିଲେ। ସେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ, ବାଂଲାଦେଶର ଡିଫେନ୍ସ ଷ୍ଟାଫ୍ ସର୍ଭିସେସ୍ କଲେଜ୍ ଏବଂ ନ୍ୟାସନାଲ୍ ଡିଫେନ୍ସ କଲେଜର ପୂର୍ବତନ ଛାତ୍ର।ମିରାଜ୍-୨୦୦୦, ମିଗ୍, ଜାଗୁଆର, ତେଜସ୍, କିରଣ, ହକ୍ ଏବଂ ଆଇଏଲ୍-୭୮ ଭଳି ବିଭିନ୍ନ ଯୁଦ୍ଧ ବିମାନ ଓ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି ତାଙ୍କର। ସେ ଜଣେ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଏବଂ ଯୋଗ୍ୟ ଫ୍ଲାଇଂ ଇନଷ୍ଟ୍ରକ୍ଟର ମଧ୍ୟ। ଅପରେସନ୍ ସଫେଦ ସାଗର, ଅପରେସନ୍ ରକ୍ଷକ ଓ ଅପରେସନ୍ ସିନ୍ଦୂରରେ ତାଙ୍କର ଅଭିଜ୍ଞତା ରହିଛି।