ଓଟିଇଟି ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ସ୍ଥଗିତ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଆଜି ସକାଳ ୯ଟାରେ ସ୍ପେଶାଲ୍ ଓଟିଇଟି ପେପର୍-୧ ଏବଂ ଦିନ ୨ଟାରେ ଥିଲା ଓଟିଇଟି ପେପର୍-୨ ପରୀକ୍ଷା । ଇନସର୍ଭିସ୍ ବା ଚାକିରିରେ ଥିବା ୭୫ ହଜାର ଶିକ୍ଷକ/ଶିକ୍ଷୟିତ୍ରୀ ଏହି ପରୀକ୍ଷା ଦେଇଥାନ୍ତେ  କିନ୍ତୁ ପରୀକ୍ଷା ପରିଚାଳନା କରୁଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ରାତି ଅଧରେ ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଥିଲା । ଏ ନେଇ ବୋର୍ଡ ପକ୍ଷରୁ ଏକ ଧାଡ଼ିକିଆ ନୋଟିସ୍ ଜାରି ହୋଇଥିଲା । ତେବେ ଦୁଇଦିନ ହେଲା ପ୍ରଶ୍ନପତ୍ର ଏବଂ ଉତ୍ତର ଦଲାଲଙ୍କ ଜରିଆରେ ଚଢ଼ା ଦରରେ ବିକ୍ରୀ ହେଉଥିବା ଆଲୋଚନା ହେଉଥିଲା । ଦୁଇଟି ଯାକ ପେପର୍ ର ଅଧିକାଂଶ ପ୍ରଶ୍ନ ଏବଂ ହାତଲେଖା ଉତ୍ତର ମୋବାଇଲ୍ ରେ ଘୂରି ବୁଲୁଥିଲା ।ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର ଛପା ଯାଇଥିବା ପ୍ରିଣ୍ଟିଂ ପ୍ରେସ୍ ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଗତକାଲି ସଂଧ୍ୟାରେ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ପ୍ରଶ୍ନପତ୍ର ସଂଲଗ୍ନ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଥିଲା । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବୋର୍ଡ ଏହାକୁ ଗ୍ରହଣ କରି ନ ଥିଲା।ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୁନିଶ୍ଚିତ ହେଲା ପରେ ରାତି ଅଧରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଥିଲେ । ପରବର୍ତ୍ତୀ ତାରିଖ ଘୋଷଣା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିଲା ବୋଲି ବିଜ୍ଞପ୍ତି ବାହାର କରିଥିଲେ ।

You might also like