ସୁଡାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ମୃତ
ସୁଡାନରେ ଗୃହଯୁଦ୍ଧ ମଧ୍ୟରେ ପୁଣି ରକ୍ତରଞ୍ଜିତ ହୋଇଛି ଜନଜୀବନ । ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ଭୟଙ୍କର ଡ୍ରୋନ୍ ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି ।ଦକ୍ଷିଣ-ପଶ୍ଚିମ ସୁଡାନର ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନ୍ୟାଲା (Nyala) ସହରରେ ଏହି ଆତ୍ମଘାତୀ ଡ୍ରୋନ୍ ହମଲା ହୋଇଛି । ଦେଶର ମାନବାଧିକାର ସଂଗଠନ ‘ଇମର୍ଜେନ୍ସି ଲୟର୍ସ’ ମଙ୍ଗଳବାର ଜାରି ନିଜର ବିବୃତିରେ ଏହି ହମଲା ପାଇଁ ସୁଡାନୀ ସେନାକୁ ଦାୟୀ କରିଛି ।ଅନ୍ତର୍ଜାତୀୟ ଚିକିତ୍ସା ସଂଗଠନ ‘ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ’ (MSF) ପୂର୍ବରୁ ସୂଚନା ଦେଇଥିଲା ଯେ, ନ୍ୟାଲାରେ ଥିବା ଏହାର ହସ୍ପିଟାଲକୁ ୩୬ଜଣଙ୍କ ମୃତଦେହ ଅଣାଯାଇଥିଲା। ଏହା ସହ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ୧୫୦ଜଣ ଗୁରୁତର ପହଞ୍ଚିଥିଲେ । ଏହି ଆତ୍ମଘାତୀ ହମଲା ପରେ ରାଜଧାନୀ ନ୍ୟାଲା ବର୍ତ୍ତମାନ ଅର୍ଦ୍ଧସାମରିକ ସଂଗଠନ ରାପିଡ୍ ସପୋର୍ଟ ଫୋର୍ସେସ୍ (RSF) ନିୟନ୍ତ୍ରଣରେ ରହିଛି । ଅନ୍ୟପଟେ ସଂଗଠନ ଏପ୍ରିଲ୍ ୨୦୨୩ରୁ ସୁଡାନୀ ସେନା ବିରୋଧରେ ଯୁଦ୍ଧ କରୁଛି।ଏପ୍ରିଲ୍ ୨୦୨୩ରୁ ସୁଡାନୀ ସଶସ୍ତ୍ର ବାହିନୀ ଏବଂ ଆର୍ଏସ୍ଏଫ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସମଗ୍ର ଦେଶକୁ ଗ୍ରାସ କରିଛି । ଯୁଦ୍ଧ ମଧ୍ୟରେ ଉଭୟ ପକ୍ଷ ଡ୍ରୋନ୍ର ବ୍ୟବହାର ବଢ଼ାଇଥିବାବେଳେ ସାଧାରଣ ନାଗରିକ ଏହାର ସବୁଠାରୁ ବଡ଼ ଶିକାର ହେଉଛନ୍ତି । ହସ୍ପିଟାଲ, ସ୍କୁଲ, ବଜାର, ଡ୍ୟାମ୍ ଏବଂ ବିସ୍ଥାପିତଙ୍କ ଶିବିର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ଆକ୍ରମଣରୁ ବର୍ତ୍ତିପାରୁନାହିଁ। ଜାତିସଂଘ ଅନୁଯାୟୀ, ଡ୍ରୋନ୍ ଆକ୍ରମଣ ସୁଡାନରେ ସାଧାରଣ ନାଗରିକଙ୍କ ପାଇଁ ଏକ ଗୁରୁତର ଓ ଘାତକ ବିପଦ ପାଲଟିଛି । ସୁଡାନରେ ଚାଲିଥିବା ଏହି ଯୁଦ୍ଧ ଦେଶକୁ ଏକ ବଡ଼ ମାନବୀୟ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଜାତିସଂଘର ଆକଳନ ଅନୁଯାୟୀ, ଦେଶର ପ୍ରାୟ ୩୪ ନିୟୁତ ଲୋକଙ୍କୁ ମାନବୀୟ ସହାୟତାର ଆବଶ୍ୟକତା ରହିଛି। ଏହା ସୁଡାନର ମୋଟ ଜନସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ ।