ଦୁର୍ନୀତି ରୋକିବାକୁ ଜନଶୁଣାଣି କାର୍ଯ୍ୟକ୍ରମ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର ( ରାଜ୍ୟକାହାଣୀ )ପୂର୍ବ ପରି ଶାସନ ଆଇଭରି ଟାୱାରରୁ ଚାଲୁ ନାହିଁ । ସରକାର ଲୋକଙ୍କ ପାଖକୁ ଯାଉଛନ୍ତି । ଲୋକଙ୍କ କଥା ଶୁଣୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଗତ ଅଢେଇ ବର୍ଷ ମଧ୍ୟରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇ.ଏ.ଏସ୍, ୮ ଜଣ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସ୍.ଟି.ଏ ର ଯୁଗ୍ମ କମିଶନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲର, ୪ ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି ।ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ୨୦୨୫ରେ କନ୍ ଭିକ୍ସନ ରେଟ୍ ୫୦ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସର୍ବାଧିକ ୬୫ ପ୍ରତିଶତରେ ପହଞ୍ଚିଛି ।

ଦୁର୍ନୀତି କ୍ଷେତ୍ରରେ ଏଭଳି ଉଚ୍ଚ ଦଣ୍ଡବିଧାନ ହାର ପାଇଁ ଓଡିଶା ଭିଜିଲାନ୍ସ ରାଜ୍ୟ ଭିତରେ ଓ ବାହାରେ ପ୍ରଶଂସିତ ହେଉଛି। ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ପଦାଧିକାରୀ ଓ ଅତିଥିମାନଙ୍କୁ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଭିଜିଲାନ୍ସ ବିଭାଗ ହେଉଛି ଗୁଡ୍‌ ଗଭର୍ଣ୍ଣାନ୍ସର ଆଖି ଓ କାନ । ଗୁଡ୍ ଗଭର୍ଣ୍ଣାନ୍ସ ମାନେ କେବଳ ନୀତି ଓ ଯୋଜନା ପ୍ରଣୟନ କରିବା ନୁହେଁ, ଏହାର ପ୍ରକୃତ ଅର୍ଥ ହେଉଛି ଦୁର୍ନୀତିକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ଉଦ୍ଦିଷ୍ଟ ଅର୍ଥ ଯେଉଁ କାରଣ ପାଇଁ ପ୍ରାବଧାନ କରାଯାଇଛି, ଯାହାଙ୍କ ପାଇଁ କରାଯାଇଛି, ତାଙ୍କ ପାଖରେ ପହଞ୍ଚିବାକୁ ଶତପ୍ରତିଶତ ସୁନିଶ୍ଚିତ କରିବା ।”

You might also like