କାକିନାଡ଼ା ଉପକୂଳରେ ସମୁଦ୍ରର ତାଣ୍ଡବ, ଛାରଖାର ଉପ୍ପାଡ଼ା ବେଳାଭୂମି
ଭୁବନେଶ୍ଵର (ରାଜ୍ୟ କାହାଣୀ)ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସମୁଦ୍ରର କରାଳ ରୂପ । ପ୍ରବଳ ପବନ ସାଙ୍ଗକୁ ଉଚ୍ଚ ଉଚ୍ଚ ଜୁଆର ମାଡ଼ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ବିପଦଜନକ ପରିସ୍ଥିତି । ବିଶେଷକରି କାକିନାଡ଼ା ନିକଟସ୍ଥ ଉପ୍ପାଡ଼ା ବେଳାଭୂମି ଅଞ୍ଚଳରେ ସମୁଦ୍ରର ଶକ୍ତିଶାଳୀ ଢେଉ ମାଡ଼ରେ ଉପକୂଳ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତେବେ ବିଶାଖାପଟ୍ଟମ, ଶ୍ରୀକାକୁଲମ, ବିଜୟନଗରମ, କାକିନାଡ଼ା, ୟାନମ ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଧରାଶାୟୀ ହୋଇଛି ବିରାଟକାୟ ଗଛ । ବହୁ ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି ରାସ୍ତା । ଅନେକ ସ୍ଥାନରେ ଛପର, ହୋର୍ଡିଂ ଉଡ଼ି ପଡ଼ିଛି । କଚା ଘର ଭାଙ୍ଗିଛି ।ଆଇଏମଡିର ପୂର୍ବାନୁମାନ କହୁଛି, ଆନ୍ଧ୍ରରେ କୋପ ଦେଖାଇବା ପରେ ବାତ୍ୟା ପଶିବ ଓଡ଼ିଶାକୁ । ଦକ୍ଷିଣ ଓଡ଼ିଶାର ମାଲକାନଗିରି ଭିତର ଦେଇ ମୁହାଁଇବ ଛତିଶଗଡ଼ ଆଡ଼କୁ । ବାତ୍ୟାର ବଳୟ ପାର୍ଶ୍ବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ବି ପଡ଼ିବ । ସିଧା ମାଡ଼ ନ ହେଲେ ବି ଦକ୍ଷିଣ ଓଡ଼ିଶାରେ ୬୦-୭୦ ପବନ ଏବଂ ଝଟକା ପବନ ୮୦ କିମି ପର୍ଯ୍ୟନ୍ତ ରହିପାରେ । ଦକ୍ଷିଣ, ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।