ମୋହନଙ୍କୁ ମୋଦୀଙ୍କ ତାଗିଦ୍: ଆଇନ ଶୃଙ୍ଖଳା ଠିକ୍ କର ନହେଲେ !
ଭୁବନେଶ୍ୱର, ରାଜ୍ୟ କାହାଣୀ: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପ୍ ହୋଇଯାଇଛି। ଦିନ ଦ୍ୱିପ୍ରହରେ ଡକାଏତି, ରେପ୍,ମର୍ଡର ଘଟୁଛି । ହାଜତ ହିଂସା, ମୃତ୍ୟୁ ବଢ଼ି ଚାଲିଛି । ପୁଲିସର କ୍ଷମତା ଅପବ୍ୟହାର ଭୟଙ୍କର ହୋଇଛି ।ମହିଳା ବିରୋଧୀ ହିଂସା ବଢ଼ି ବଢ଼ି ଚାଲିଛି ।
ରାଜ୍ୟ ସରକାରଙ୍କ ବିରୋଧରେ ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କର ମନ୍ତ୍ରୀମାନେ ତାତ୍ସଲ୍ୟରେ ଉଡ଼ାଉଥିଲେ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଫାଳ ଫାଳ ଲେଖା ପଢ଼ି ସରକାରଙ୍କ କାର୍ଯ୍ୟଦକ୍ଷତାର ଡିଣ୍ଡିମ୍ ପିଟୁଥିଲେ । ବିରୋଧୀ ଦଳ ରାଜନୀତିର ରୁଟି ସେକୁଛନ୍ତି କହି ସମାଲୋଚନା କରୁଥିଲେ ମୋହନ ଏବଂ ତାଙ୍କ ଟିମ୍ ।ମାତ୍ର ଏହି ଅଭିଯୋଗକୁ ଅତି ଗମ୍ଭୀର ଭାବରେ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର । ଅଭିଯୋଗ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି । ସମ୍ପୂର୍ଣ୍ଣ ତଥ୍ୟ ସହ ଜବାବ ଦେବାକୁ କୁହାଯାଇଛି ।
ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗୋଟିଏ ଦଳର ସରକାରରେ ରାଜ୍ୟଠାରୁ କେନ୍ଦ୍ରର ଜବାବ ତଲବ କୌଣସି ମାମୁଲି ଘଟଣା ନୁହେଁ । ଏଠି ବିରୋଧୀ ଦଳର ଅଭିଯୋଗ କଥା ନାହିଁ, ବରଂ ଯାହା ଘଟୁଛି ତାହା ବୋଧହୁଏ ଅମିତ ଶାହଙ୍କ ନେତୃତ୍ୱାଧୀନ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବ୍ୟଥିତ କରିଛି । ସେଥିପାଇଁ ଜବାବ ମାଗିଛନ୍ତି ।
ଗୃହ ମନ୍ତ୍ରଣାଳୟର ଜବାବ ତଲବକୁ ରାଜ୍ୟ ସରକାର ଫାଙ୍କିବାର ଜୁ ନାହିଁ । ସେଥିପାଇଁ ଗତ ୧୬ ତାରିଖରେ ଦିଲ୍ଲୀରୁ ଚିଠି ଆସିଲା ପରଠୁ ରାଜ୍ୟ ଗୃହ ବିଭାଗର ନିଦ ହଜିଯାଇଛି । କାମଚଳା ଡିଜିପିଙ୍କଠାରୁ ଏହାର ଜବାବ ମଗାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି ଓ ସଂଲଗ୍ନ ଦସ୍ତାବିଜ ପଠାଯାଇ ଆବଶ୍ୟକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶକ ଦିଆଯାଇଛି ।ମୁୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ସରକାରଙ୍କୁ ଏହା ମୋଦୀ ସରକାରଙ୍କ ପ୍ରଥମ ଚଟକଣି ବୋଲି କୁହାଯାଉଛି ।କେବଳ ଆଇନଶୃଙ୍ଖଳା ନୁହେଁ, ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିଫଳତା ସାଧାରଣରେ ବ୍ୟାପକ ଆଲୋଚନା ହେଉଛି । ରାଜ୍ୟରେ ସବୁ କିଛି ଠିକ୍ ଚାଲିନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କର ସମ୍ଭବତଃ ହୃଦବୋଧ ହୋଇଛି । ହୁଏତ, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଓଡ଼ିଶା ଆସିବାକୁ ପଡୁଛି । ଜନସଭାଗୁଡ଼ିକରେ ମୋହନ ମାଝୀଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିବାକୁ ପ୍ରଧାନମନ୍ତ୍ରୀ ବାଧ୍ୟ ହେଉଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଲୋଚନା କରୁଛନ୍ତି ।ସୂଚନାଥାଉକି, ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଏବଂ ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ସଂଗଠନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତାମାନେ ମଧ୍ୟ ସନ୍ତୁଷ୍ଟ ନାହାନ୍ତି ।