ତାମିଲନାଡୁର ଥେନି ଜେଲରୁ ୧୭ କଏଦୀ ଫେରାର
ତାମିଲନାଡୁର ଥେନି ଜିଲ୍ଲାରେ ଥିବା ଏକ ଜେଲରୁ ୧୭ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଜେଲ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରି କଏଦୀମାନେ ଖସିଯାଇଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ସମ୍ପୃକ୍ତ କଏଦୀଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ବାକି କଏଦୀଙ୍କ ସନ୍ଧାନ ଜାରି ରହିଛି। ଧରାପଡ଼ିଥିବା କଏଦୀଙ୍କୁ ପ୍ରବୀଣ କୁମାର, ସିଲାମ୍ବରସନ, ରାଜକୁମାର ଏବଂ ରାଜା ସିକନ୍ଦର ଭାବରେ ଚିହ୍ନଟ କରାଯାଇଛି ।ଘଟଣା ପରେ ପଡ଼ୋଶୀ ଦିଣ୍ଡିଗୁଲ ଜିଲ୍ଲାର ୧୬ଟି ସ୍ଥାନରେ ଯାଞ୍ଚ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ରାସ୍ତାଗୁଡ଼ିକ ଦେଇ ଯାତାୟାତ କରୁଥିବା ଗାଡ଼ିମୋଟରକୁ ଯାଞ୍ଚ କରାଯାଉଛି। ଏଥିସହ ଆଖପାଖ ଜିଲ୍ଲାଗୁଡ଼ିକର ପୁଲିସକୁ ସତର୍କ କରାଯାଇଛି।ସୂଚନା ଅନୁଯାୟୀ, ସମସ୍ତ ୧୭ ଜଣ କଏଦୀଙ୍କୁ ଗୋଟିଏ କୋଠରୀରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ଥିବା ଖବର ପାଇ ଜେଲ୍ କର୍ମଚାରୀମାନେ କୋଠରୀ ଭିତରକୁ ଯାଇଥିଲେ। ଏହି ସମୟରେ କଏଦୀମାନେ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ସୁଯୋଗ ନେଇ ସେମାନେ ଜେଲରୁ ଫେରାର ହୋଇଯାଇଥିଲେ।କଏଦୀମାନଙ୍କୁ ଚିହ୍ନଟ କରିବା ଓ ଗିରଫ କରିବା ସହଜ ହେବା ପାଇଁ ସେମାନଙ୍କ ଫଟୋ ପୁଲିସ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।