କୋଟିଆକୁ ନେଇ ତତ୍ପର ସରକାର, ଆଜି ବସିବ ୧୬ ଜଣିଆ କମିଟି ବୈଠକ

ଭୁବନେଶ୍ୱର ( ରାଜ୍ୟକାହାଣୀ )କୋଟିଆ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ଓ ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ । କୋଟିଆର ବିକାଶ ସେମାନଙ୍କ ସରକାର କରିଛନ୍ତି ବୋଲି ଦାବି କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରମିଳା ଦାବି କରିଥିବାବେଳେ କୋଟିଆ ପାଇଁ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ୧୬ ଜଣିଆ କମିଟିର ବୈଠକ ଆଜି ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା କୋଟିଆରେ ବିକାଶମୂଳକ କାମ କେତେ ଆଗେଇଛି, ଆଗକୁ କଣ ପ୍ଲାନ୍ ଅଛି ସେନେଇ ଆଲୋଚନା ହେବ ।ଗତବର୍ଷ ମେ’ ୨୩ ତାରିଖରେ କୋଟିଆର ବିକାଶ ଓ ସ୍ଥିତି ସମୀକ୍ଷା ପାଇଁ ୧୬ ଜଣିଆ କମିଟି ଗଠନ କରାଯାଇଥିଲା। ତେବେ କୋଟିଆ ପ୍ରସଙ୍ଗରେ କମିଟିର କାର୍ଯ୍ୟ ଓ ନିଷ୍ପତ୍ତିକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଆନ୍ଧ୍ରର ନିର୍ବାଚନ ପ୍ରସ୍ତୁତି ଏହି ବିବାଦକୁ ପୁଣି ଚର୍ଚ୍ଚାକୁ ଆଣିଥିବାରୁ ଆଜିର ବୈଠକ ଉପରେ ନଜର ରହିଛି।

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଲାଗିରହିଛି। କୋଟିଆ ପଞ୍ଚାୟତର ୨୮ଟି ଗାଁ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ରାଜ୍ୟ ସରକାରଙ୍କ ଦାବି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ ଏଥିରୁ ୨୧ଟି ଗାଁ ଉପରେ ନିଜର ଅଧିକାର ଦାବି କରୁଛି । ଏବେ ଆନ୍ଧ୍ର ପକ୍ଷରୁ ତିନିଟି ବିବାଦୀୟ ଗାଁରେ ସ୍ଥାନୀୟ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ାଯାଉଥିବାରୁ ବିବାଦ ପୁଣି ତୀବ୍ର ହୋଇଛି ।ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଆମ ଅସ୍ମିତା, ଆମ କୋଟିଆ ପାଇଁ ଆସନ୍ତୁ ସମସ୍ତେ ଏକ ହୋଇ ଲଢ଼ିବା । ଯିଏ ଯାହା ବି କୋଟିଆକୁ ନେଇ ପରାମର୍ଶ ଦେଉଛନ୍ତି ମୁଁ ତାକୁ ଗ୍ରହଣ କରୁଛି । କୋଟିଆରେ ନିକଟରେ ବସିଥିବା ସର୍ବଦଳୀୟ ବୈଠକ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ବିରୋଧୀ ଦଳ ସେମାନଙ୍କର ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି । ମୁଁ ମଧ୍ୟ ସାଂସଦ ଓ ବିଧାୟକ ମାନଙ୍କ ସହ ଯୋଗାଯୋଗରେ ରହିଛି ।”

You might also like