ବେଦାନ୍ତ ଆଲୁମିନିୟମର ଭୋକମୁକ୍ତ ଭାରତ ଅଭିଯାନକୁ ସମର୍ଥନ, ୫୪୦ରୁ ଅଧିକ କର୍ମଚାରୀଙ୍କ ଅଂଶଗ୍ରହଣ !
ଭୁବନେଶ୍ୱର, ରାଜ୍ୟ କାହାଣୀ: ଭାରତରେ ଭୋକମୁକ୍ତ ସମାଜ ଗଠନ ଓ ଶିଶୁଙ୍କ ପୁଷ୍ଟିହୀନତା ଦୂରୀକରଣ ଲକ୍ଷ୍ୟରେ ଆୟୋଜିତ ବେଦାନ୍ତ ଦିଲ୍ଲୀ ଅର୍ଦ୍ଧମାରାଥନ୍ (ଭିଡିଏଚ୍ଏମ୍) ୨୦୨୬ ପୂର୍ବରୁ ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ରନ୍ ଫର୍ ଜିରୋ ହଙ୍ଗର୍’ ଅଭିଯାନକୁ ବ୍ୟାପକ ସମର୍ଥନ ମିଳିଛି। ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ଏହି କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ରେ ଥିବା ବିଭିନ୍ନ କାର୍ଯ୍ୟକ୍ଷେତ୍ରରୁ ୫୪୦ରୁ ଅଧିକ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି।
ଝାରସୁଗୁଡ଼ା, ବାଲ୍କୋ, ଲାଞ୍ଜିଗଡ଼ ଓ ଖଣି କାର୍ଯ୍ୟକ୍ଷେତ୍ରର କର୍ମଚାରୀମାନେ ପଦଯାତ୍ରା, ଜୁମ୍ବା ଓ ଶାରୀରିକ ସୁସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଭିଯାନକୁ ଆଗକୁ ବଢ଼ାଇଛନ୍ତି। ଏହାଦ୍ୱାରା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତା ସହିତ ସମାଜରେ କୁପୋଷଣ ଦୂରୀକରଣ ପାଇଁ ସାମୂହିକ ଉଦ୍ୟମକୁ ଗୁରୁତ୍ୱ ଦିଆଯାଇଛି।
ଏହି ଅଭିଯାନର ମୂଳମନ୍ତ୍ର ହେଉଛି—‘୧ କିଲୋମିଟର = ୧ ପୋଷଣ ପ୍ୟାକ୍ = ୧ ଜଣଙ୍କୁ ଖାଦ୍ୟ ସହାୟତା’। ଏହି ଧାରଣା ଅନୁଯାୟୀ, ଶାରୀରିକ ବ୍ୟାୟାମ ଓ ଦୌଡ଼ ଭଳି କାର୍ଯ୍ୟକଳାପକୁ ଶିଶୁଙ୍କ ପୁଷ୍ଟିସାଧନ ସହ ଯୋଡ଼ାଯାଇଛି। ଅଭିଯାନରେ ଅତିକ୍ରାନ୍ତ ପ୍ରତ୍ୟେକ କିଲୋମିଟର ଅନିଲ ଅଗ୍ରୱାଲ ଫାଉଣ୍ଡେସନ ମାଧ୍ୟମରେ ପୁଷ୍ଟି ସହାୟତା ଯୋଗାଇବାରେ ସହାୟକ ହେଉଛି। ଏହା ବ୍ୟକ୍ତିଗତ ପ୍ରୟାସକୁ ସାମୂହିକ ସାମାଜିକ ଅବଦାନରେ ପରିଣତ କରିବା ସହ ସୁସ୍ଥ ଓ ପୁଷ୍ଟିସମ୍ପନ୍ନ ଭାରତ ଗଠନ ଦିଗରେ ପଦକ୍ଷେପ ନେଇଛି।
ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ ଆମେ ବିଶ୍ୱାସ କରୁ ଯେ ଉତ୍ପାଦନ କାର୍ଯ୍ୟକଳାପରେ ଆମର ଦାୟିତ୍ୱ ସୀମିତ ନୁହେଁ; ସମାଜରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ମଧ୍ୟ ଆମର ଦାୟିତ୍ୱ। ‘ରନ୍ ଫର୍ ଜିରୋ ହଙ୍ଗର୍’ ଅଭିଯାନ ଶାରୀରିକ ସୁସ୍ଥତା, ସମ୍ବେଦନଶୀଳତା ଓ ସାମୂହିକ ଦାୟିତ୍ୱବୋଧକୁ ଏକାଠି କରି ଶିଶୁ କୁପୋଷଣ ଭଳି ଦେଶର ଏକ ପ୍ରମୁଖ ଆହ୍ୱାନର ମୁକାବିଲା ପାଇଁ ଉଦ୍ୟମ କରୁଛି। ଆମର ବିଭିନ୍ନ କାର୍ଯ୍ୟକ୍ଷେତ୍ରର କର୍ମଚାରୀମାନେ ଏହି ଉଦ୍ଦେଶ୍ୟକୁ ଉତ୍ସାହର ସହ ଗ୍ରହଣ କରିଥିବା ଦେଖି ଆମେ ଆନନ୍ଦିତ। ସେମାନଙ୍କର ପ୍ରତ୍ୟେକ ପଦକ୍ଷେପ ସୁସ୍ଥ ସମାଜ ଗଠନ ଓ ଅଧିକ ସୁଦୃଢ଼ ତଥା ସମାବେଶୀ ଭାରତ ନିର୍ମାଣ ପାଇଁ ଆମର ସାମୂହିକ ସଂକଳ୍ପକୁ ପ୍ରତିଫଳିତ କରୁଛି।”
କମ୍ପାନୀର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏହି ଅଭିଯାନ ପ୍ରତି କର୍ମଚାରୀଙ୍କ ଉତ୍ସାହ ସ୍ପଷ୍ଟ ହୋଇଛି। ଝାରସୁଗୁଡ଼ାରେ ୧୨୦ ଜଣ କର୍ମଚାରୀ ପଦଯାତ୍ରାରେ ସାମିଲ ହେବା ସହ ଜୁମ୍ବା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ବାଲ୍କୋରେ ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି ଅଭିଯାନକୁ ସମର୍ଥନ କରିଥିଲେ। ସେହିପରି କମ୍ପାନୀର ଖଣି କାର୍ଯ୍ୟକ୍ଷେତ୍ରରେ ଜୁମ୍ବା ଓ ପଦଯାତ୍ରା ମାଧ୍ୟମରେ ୧୮୬ ଜଣ ଅଂଶଗ୍ରହଣ କରିଥିଲେ। ଲାଞ୍ଜିଗଡ଼ରେ ଆୟୋଜିତ କ୍ଷୁଦ୍ର ମାରାଥନ୍ ଭିତ୍ତିକ ଶାରୀରିକ ସୁସ୍ଥତା କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ସାମିଲ ହୋଇଥିବାବେଳେ ପଦଯାତ୍ରାରେ ୯୧ ଜଣ ଅଂଶଗ୍ରହଣ କରିଥିଲେ। ଏହି ସମସ୍ତ ପ୍ରୟାସ ବିଭିନ୍ନ ସ୍ଥାନ ଓ ବିଭାଗର କର୍ମଚାରୀଙ୍କୁ ଏକ ସାମାଜିକ ଉଦ୍ଦେଶ୍ୟରେ ଏକାଠି କରିଛି।
‘ରନ୍ ଫର୍ ଜିରୋ ହଙ୍ଗର୍’ ଅଭିଯାନ ସହ ବେଦାନ୍ତ ଆଲୁମିନିୟମର ଏହି ସମ୍ପର୍କ ନୂଆ ନୁହେଁ। ୨୦୨୨ରେ କମ୍ପାନୀର କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନେ ମିଳିତ ଭାବେ ୭.୨ ଲକ୍ଷରୁ ଅଧିକ କିଲୋମିଟର ଦୌଡ଼ିଥିଲେ। ଏହା ମାଧ୍ୟମରେ ଅଭାବଗ୍ରସ୍ତ ଶିଶୁମାନଙ୍କ ପାଇଁ ସମାନ ସଂଖ୍ୟକ ପୁଷ୍ଟିକର ଭୋଜନ ଯୋଗାଇବାରେ ଅବଦାନ ରଖାଯାଇଥିଲା। ଏହି ଉଦ୍ୟମକୁ ଆଗକୁ ନେଇ ବେଦାନ୍ତର ସର୍ବଶେଷ ‘ରନ୍ ଫର୍ ଜିରୋ ହଙ୍ଗର୍’ ପ୍ରତିଯୋଗିତାରେ ବାଲ୍କୋ ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀ ବ୍ୟବସାୟିକ ୟୁନିଟ୍ ଭାବେ ଉଭା ହୋଇଥିଲା। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ମିଳିତ ଭାବେ ୧୫ ଲକ୍ଷରୁ ଅଧିକ କିଲୋମିଟର ଅତିକ୍ରମ କରିଥିଲେ। ଏହି ସଫଳତାଗୁଡ଼ିକ ସାମୂହିକ ଅଂଶଗ୍ରହଣକୁ ଅର୍ଥପୂର୍ଣ୍ଣ ପୁଷ୍ଟି ସହାୟତାରେ ପରିଣତ କରିବା ପାଇଁ କମ୍ପାନୀର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।
ମାରାଥନ୍ରେ ଅଂଶଗ୍ରହଣ ବ୍ୟତୀତ ଏହି ଅଭିଯାନ କମ୍ପାନୀର ବ୍ୟାପକ ସାମାଜିକ ଦାୟିତ୍ୱବୋଧର ଅଂଶ। କର୍ମଚାରୀଙ୍କ ସୁସ୍ଥତା ଓ ସମାଜର ବିକାଶ ପରସ୍ପର ସହ ଜଡ଼ିତ ବୋଲି ଗୁରୁତ୍ୱ ଦେଇ କମ୍ପାନୀ ସାମୂହିକ ଉଦ୍ୟମ ଓ ଦାୟିତ୍ୱବୋଧର ଏକ ସୁଦୃଢ଼ ପରିବେଶ ଗଠନ କରୁଛି।
ଭିଡିଏଚ୍ଏମ୍ ୨୦୨୬ରେ ଦେଶର ବିଭିନ୍ନ ଅଞ୍ଚଳର ଦୌଡ଼ବିତ୍ମାନେ ଏକାଠି ହେବାକୁ ଯାଉଥିବାବେଳେ ବେଦାନ୍ତ ଆଲୁମିନିୟମର ଏହି ଅଂଶଗ୍ରହଣ ବୃହତ୍ ସାମାଜିକ ଆହ୍ୱାନର ସମାଧାନରେ ସାମୂହିକ ପ୍ରୟାସର ଗୁରୁତ୍ୱକୁ ଉଜାଗର କରିଛି। ଶାରୀରିକ ସୁସ୍ଥତାକୁ ପୁଷ୍ଟି ଓ ସାମାଜିକ କଲ୍ୟାଣ ସହ ଯୋଡ଼ି କମ୍ପାନୀ ଏକ ବିକଶିତ ଭାରତ ଗଠନର ଲକ୍ଷ୍ୟକୁ ସମର୍ଥନ କରୁଛି, ଯେଉଁଠାରେ ସୁସ୍ଥ ସମାଜ, ଉନ୍ନତ ପୁଷ୍ଟି ଓ ସମାବେଶୀ ବିକାଶ ଏକ ସୁଦୃଢ଼ ରାଷ୍ଟ୍ରର ମୂଳଦୁଆ ହେବ।