ମୋବାଇଲ୍ରେ ଜୋର୍ରେ ଗୀତ ଶୁଣିଲେ ଗଣିବେ ଟଙ୍କା!
ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ମୋବାଇଲ୍ରେ ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ଅନେକଙ୍କ ଅଭ୍ୟାସ। କିନ୍ତୁ ଯଦି ଇୟରଫୋନ୍ ବଦଳରେ ମୋବାଇଲ୍ର ଲାଉଡ୍ସ୍ପିକର ଅନ୍ କରି ଉଚ୍ଚ ସ୍ୱରରେ ଭିଡିଓ ଦେଖୁଛନ୍ତି, ତେବେ ସାବଧାନ! ଦକ୍ଷିଣ ରେଳବାଇ ଏଭଳି ଆଚରଣ ବିରୋଧରେ କଡ଼ା ପଦକ୍ଷେପ ନେଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ଟ୍ରେନ୍ ଭିତରେ ମୋବାଇଲ୍ ସ୍ପିକରରେ ଜୋର୍ରେ ଗୀତ, ରିଲ୍ସ କିମ୍ବା ଭିଡିଓ ଚଲାଇ ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇଲେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏଥିସହ ଫୋନ୍ରେ ଅତ୍ୟଧିକ ଉଚ୍ଚ ସ୍ୱରରେ କଥା ହେବା ନେଇ ମଧ୍ୟ ଅଭିଯୋଗ ହେଲେ ପଦକ୍ଷେପ ନିଆଯାଇପାରେ।ଏଭଳି ଘଟଣାରେ ରେଳ ଆଇନର ଧାରା ୧୪୫(୨) ଅନୁଯାୟୀ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ବୋଲି ରିପୋର୍ଟରେ ଦାବି କରାଯାଇଛି। ଜନ ବିଶ୍ୱାସ ଆଇନ ଅଧୀନରେ ସଂଶୋଧିତ ନିୟମ ଜୁନ୍ ୧୯ରୁ ଲାଗୁ ହୋଇଛି । ଟ୍ରେନ୍ କିମ୍ବା ରେଳ ଷ୍ଟେଶନ୍ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଶାନ୍ତି ଭଙ୍ଗ କରିବା ଭଳି ଘଟଣାରେ ୧,୦୦୦ ଟଙ୍କା ଜରିମାନା ହୋଇପାରେ। ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ଟ୍ରେନ୍ କିମ୍ବା ଷ୍ଟେଶନ୍ ପରିସରରୁ ବାହାର କରାଯାଇପାରେ । ଏପରିକି ସମ୍ପୃକ୍ତ ଯାତ୍ରୀଙ୍କ ଟ୍ରେନ୍ ଟିକେଟ୍ କିମ୍ବା ରେଳବାଇ ପାସ୍ ଜବତ କରାଯିବାର ମଧ୍ୟ ବ୍ୟବସ୍ଥା ଥିବା ରିପୋର୍ଟରେ କୁହାଯାଇଛି।ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗୀ ଏବଂ ଅନ୍ୟ ସହଯାତ୍ରୀଙ୍କ ଯାତ୍ରାକୁ ଆରାମଦାୟକ କରିବା ହେଉଛି ଏହି ପଦକ୍ଷେପର ଉଦ୍ଦେଶ୍ୟ।