୨୨୦ଟି ଔଷଧ ଦୋକାନରେ ଚଢ଼ଉ;ଲାଇସେନ୍ସ ନଥାଇ ଚାଲିଥିଲା ଔଷଧ ବିକ୍ରି
ରାଜ୍ୟରେ ବେଆଇନ ଔଷଧ ବିକ୍ରି ବିରୋଧରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ବଡ଼ ଧରଣର ଚଢ଼ାଉ । ପ୍ରାୟ ୨୨୦ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ୧୩୭ଟି ଦୋକାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଚଢ଼ଉ ସମୟରେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଯନ୍ତ୍ରପାତି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ।ସେହିପରି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା, ନୂଆପଡ଼ା ଜିଲ୍ଲାର ଜୋଙ୍କ ଥାନା ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍ସବିହୀନ ପ୍ରତିଷ୍ଠାନରୁ ପ୍ରାୟ ୨ଲକ୍ଷ ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି। ଏହି ଘଟଣାଗୁଡ଼ିକରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।ଚଢ଼ଉ ସମୟରେ ଆଲ୍ପ୍ରାଜୋଲାମ୍, ନାଇଟ୍ରାଜେପାମ୍, ପେଣ୍ଟାଜୋସିନ୍, ଟ୍ରାମାଡୋଲ୍ ଭଳି ସାଇକୋଟ୍ରୋପିକ୍ ଔଷଧର କ୍ରୟ ଓ ପଞ୍ଜୀକୃତ ଚିକିତ୍ସକଙ୍କ ବୈଧ ପ୍ରେସ୍କ୍ରିପ୍ସନ୍ ଆଧାରରେ ଏହାର ବିକ୍ରୟ କରାଯାଇଛି କି ନାହିଁ ତାହାର ଯାଞ୍ଚ କରାଯାଉଛି।