କେତେବେଳେ ପୋକ ତ କେତେବେଳେ ଝିଟିପିଟି,ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ
ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା । ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳି ନଥିବା ବେଳେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଚାଲିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ହଷ୍ଟେଲ ମେସ୍ ରେ ଅନ୍ତେବାସୀଙ୍କୁ ଦୀର୍ଘ ଦିନ ହେବ ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପରସା ଯାଉଥିଲା । ଗତକାଲି ଖାଇବା ବେଳେ ଖାଦ୍ୟ ଥାଳିରୁ ପୋକ ବାହାରିବା ଦେଖି ଛାତ୍ରଛାତ୍ରୀମାନେ ସ୍ତବ୍ଧ ହୋଇଯାଇଥିଲେ ।
ପିଲାମାନେ ତୁରନ୍ତ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ହଷ୍ଟେଲ ଖାଦ୍ୟ ମାନରେ କୌଣସି ସୁଧାର ନ ଆସିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଥିଲା । ହଷ୍ଟେଲ କର୍ତ୍ତୃପକ୍ଷ କିମ୍ବା ୟୁନିଭରସିଟି ପ୍ରଶାସନ ଘଟଣାକୁ ଗୁରୁତ୍ୱ ନ ଦେବାରୁ ଶହ ଶହ ଛାତ୍ରଛାତ୍ରୀ ଏକଜୁଟ ହୋଇ କ୍ୟାମ୍ପସ ଭିତରେ ଧାରଣାରେ ବସିରହିଥିଲେ ।