ରାଶନ କାର୍ଡରୁ ୯ ଲକ୍ଷ ୮୧ ହଜାର ୬୬୧ ଟି ଆବେଦନ ପତ୍ର ଅଯୋଗ୍ୟ ପ୍ରମାଣିତ : ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ଵର (ରାଜ୍ୟ କାହାଣୀ )ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଚାଉଳ ଓ ରାସନ ସାମଗ୍ରୀ ଉପରେ ଆଖି ପକାଉଥିବା ଅସାଧୁ ଡିଲର ଏବଂ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ବିଗତ ୩ ବର୍ଷ ମଧ୍ୟରେ ରାସନ ଚୋରି ଏବଂ ଅନିୟମିତତାକୁ ନେଇ ମୋଟ ୨୨୯ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୨୦୧ ଜଣ ଡିଲର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯାଇ ଲାଇସେନ୍ସ ବାତିଲ୍ କରାଯାଇଛି। ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ  ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନର ଉତ୍ତର ଦେଇ  ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ବିବରଣୀ ପ୍ରଦାନ କରିଛନ୍ତି ଯେ ରାଜ୍ୟରେ ନୂତନ ରାଶନ କାର୍ଡ ପାଇଁ ମୋଟ ୨୧ ଲକ୍ଷ ୮୭ ହଜାର ୦୮୫ ଟି ଆବେଦନ ପ୍ରାପ୍ତ ହୋଇଥିଲା। ସେଥିମଧ୍ୟରୁ ୧୬ ଲକ୍ଷ ୯୯ ହଜାର ୪୫୧ ଟି ଆବେଦନର କ୍ଷେତ୍ର ତଦାରଖ/ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନୂତନ ଯୋଗ୍ୟ ବିବେଚିତ ହୋଇଥିବା ୭ ଲକ୍ଷ ୧୭ ହଜାର ୭୯୦ ପରିବାରର ୧୪ ଲକ୍ଷ ୨୧ ହଜାର ୨୨୪ ଜଣ ସଦସ୍ୟଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କରାଯାଇସାରିଛି। ତେବେ ଯାଞ୍ଚ ପରେ ୯ ଲକ୍ଷ ୮୧ ହଜାର ୬୬୧ ଟି ଆବେଦନ ପତ୍ର ଅଯୋଗ୍ୟ ପ୍ରମାଣିତ ହୋଇ ବାତିଲ ହୋଇଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୭ ହଜାର ୬୩୪ ଟି ଆବେଦନର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

You might also like