ମନମୁଖୀ କାର୍ଯ୍ୟ ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ

ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ‘ଏକ୍ସପ୍ରେସ’ ରିପୋର୍ଟ ଅନୁଯାୟୀ, SIR ପ୍ରକ୍ରିୟା ସମୟରେ ଦୁଇଜଣ ନିର୍ବାଚନ କମିଶନର ବିଭିନ୍ନ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଏବଂ ୧୦ ମାସ ମଧ୍ୟରେ ୧୪ ଥର ନିଜର ଅସହମତି ଜଣାଇଥିଲେ।କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ମତାନ୍ତର ରହିଛି ଏବଂ ମନମୁଖୀ ଭାବେ ନିଷ୍ପତ୍ତି ନିଆଯାଉଛି । ତେବେ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ନିର୍ବାଚନ ଆୟୋଗ । ଭୋଟର ତାଲିକା ସଂଶୋଧନ ଓ ନିରୀକ୍ଷଣ ପ୍ରକ୍ରିୟା (SIR) ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି ।ଇଂରାଜୀ ଦୈନିକ ଇଣ୍ଡିଆନ ଏକ୍ସପ୍ରେସ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୧୦ ମାସ ମଧ୍ୟରେ ନିର୍ବାଚନ ଆୟୋଗର ଦୁଇ ଜଣ କମିଶନରସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ କେତେକ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କ ଅଜାଣତରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଦେଶ ପାରିତ ହୋଇଥିବା ନେଇ ପାଖାପାଖି ୧୪ ଥର ଆପତ୍ତି ଉଠାଯାଇଥିବା ଖବର ପ୍ରକାଶ ପାଇଥିଲା । ଉଲ୍ଲେଖନୀୟ ଯେ, ନିର୍ବାଚନ ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇଜଣ ନିର୍ବାଚନ କମିଶନରଙ୍କୁ ନେଇ ଗଠିତ ଏକ ପ୍ୟାନେଲ ଦ୍ୱାରା ନିଆଯାଇଥାଏ। ଏହି କମିଶନରମାନଙ୍କ ମଧ୍ୟରୁ ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ଆପତ୍ତି ଉଠାଇଥିବାବେଳେ ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ଏହି ଆପତ୍ତିଗୁଡ଼ିକୁ ଅଣଦେଖା କରାଯାଇଥିଲା ଏବଂ ସଂଖ୍ୟାଗରିଷ୍ଠତା ଆଧାରରେ ଭୋଟ ଦେବା ପାଇଁ ନିଷ୍ପତ୍ତିଗୁଡ଼ିକୁ କମିଶନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇନଥିଲା।

You might also like