ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ, ବନ୍ୟା ମୁକାବିଲା ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର, ରାଜ୍ୟ କାହାଣୀ:ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରଶମନ ରଣନୀତି ସହ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଅଧ୍ୟକ୍ଷତା କରିଥିଲେ ।ବୈଠକରେ ରାଜ୍ୟ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ରବୀନ୍ଦ୍ର ସାହୁ, ଇଆଇସି , ପିଏଚ୍ଇଓ ଶ୍ରୀ ବିଳାସ ବେହେରା, ଓ ଓଡବ୍ଲ୍ୟୁଏସ୍ଏସବି ଇଆଇସି ଶ୍ରୀ ଭାଗ୍ୟଧର ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ବୈଠକରେ ଡିପିଆର ପ୍ରସ୍ତୁତି, ଅର୍ଥ ବ୍ୟବସ୍ଥା, ଦକ୍ଷତା ବିକାଶ, ବୈଷୟିକ ସହାୟତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ରାଜ୍ୟର ୬ଟି ମହାନଗର ନିଗମ ସହ ଅନ୍ୟ ପୌରାଞ୍ଚଳ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ସହରଗୁଡ଼ିକୁ ଏଥିରେ ପ୍ରାଥମିକତା ଦିଆଯାଇଥିଲା ।ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଏକ ସ୍ପଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀମତୀ ପାଢ଼ୀ ଗୁରୁତ୍ୱ ଦେଇଥିଲେ । ଆଗାମୀ ଅର୍ବାନ କନକ୍ଲେଭରେ ଏହି ବିଷୟକୁ ଆନୁଷ୍ଠାନିକ ଭାବେ ଆଲୋଚନାକୁ ନେଇ ବିଭିନ୍ନ ସଂସ୍ଥା ଓ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ l ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହର ଅଧିକ ପ୍ରଭାବିତ ଅଞ୍ଚଳ ବା ହଟସ୍ପଟ୍‌ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବା ସହ ସମସ୍ତ ପୌରାଞ୍ଚଳ ପାଇଁ କିଛି ପଦକ୍ଷେପ ଚିହ୍ନଟ କରିବାକୁ ସେ କହିଥିଲେ । ଏଥିପାଇଁ କେଉଁ ପଦକ୍ଷେପ ତୁରନ୍ତ ନିଆଯାଇ ତାହା କାର୍ଯ୍ୟକାରୀ କରାଯାଇପାରିବ, ସେ ସମ୍ପର୍କରେ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଶୀମତୀ ପାଢୀ ପରାମର୍ଶ ଦେଇଥିଲେ । ଆସନ୍ତା ଖରାଦିନ ପୂର୍ବରୁ ଏହା ମାଧ୍ୟମରେ ଜନସାଧାରଣଙ୍କୁ ଦୃଶ୍ୟମାନ ଆଶ୍ୱସ୍ତି ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ଏଥିସହ ଦୀର୍ଘମିଆଦୀ ପଦକ୍ଷେପ ଭାବେ ବନ ବିଭାଗ ସହ ସମନ୍ୱୟରେ ବୃକ୍ଷରୋପଣ ଓ ଅନ୍ୟାନ୍ୟ ପ୍ରକୃତିଭିତ୍ତିକ ପଦକ୍ଷେପ ନେବାକୁ ସେ କହିଥିଲେ ।ଦକ୍ଷତା ବିକାଶ ପାଇଁ ଓଡ଼ିଶା ଅର୍ବାନ ଏକାଡେମୀ ମାଧ୍ୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇପାରିବ । ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ମଡ୍ୟୁଲ୍ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଅର୍ବାନ ପ୍ଲାନିଂ ସେକ୍ସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଶୀମତୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବୁଝାମଣା ପତ୍ର ସ୍ଵାକ୍ଷର କରାଯାଇ ଓ ଡବ୍ଲ୍ୟୁ ଏସ୍ ଏସ୍ ବି ମାଧ୍ୟମରେ ପ୍ରକଳ୍ପ ପରିଚାଳନା ୟୁନିଟ୍ ନିୟୋଜନର ବ୍ୟବସ୍ଥା କରାଯିବ । ବର୍ଷାଜଳ ପରିଚାଳନା କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତି ଓ ଆବଶ୍ୟକ ବୈଷୟିକ ସହାୟତା ପାଇଁ ଏକ ସ୍ୱତନ୍ତ୍ର ସେଲ୍‌ କିମ୍ବା ଉପଯୁକ୍ତ ପ୍ରତିଷ୍ଠାନଗତ ବ୍ୟବସ୍ଥା ଗଠନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।ତୁରନ୍ତ, ମଧ୍ୟମ ଓ ଦୀର୍ଘମିଆଦୀ ପଦକ୍ଷେପଗୁଡ଼ିକୁ ସମାନ୍ତରାଳ ଭାବେ ଆଗେଇ ନେବା ସହ ଅନ୍ତଃବିଭାଗୀୟ ସମନ୍ୱୟ, ପ୍ରଭାବୀ କାର୍ଯ୍ୟାନ୍ୱୟନ ଓ ଆସନ୍ତା ଗ୍ରୀଷ୍ମ ପୂର୍ବରୁ ଜନସାଧାରଣଙ୍କୁ ଦୃଶ୍ୟମାନ ଆଶ୍ୱସ୍ତି ପ୍ରଦାନ ଉପରେ ସ୍ପଷ୍ଟ ଧ୍ୟାନ ଦେବାକୁ ଶ୍ରୀମତୀ ପାଢ଼ୀ କହିଥିଲେ ।……..

You might also like