ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, MMDR ସହ ୭ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ଗତକାଲି ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ କରାଯାଇ ଗୃହରେ ଉଠାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଓ ରଣନୀତି ନେଇ ଆଲୋଚନା ହୋଇଛି । ଏହି ଅଧିବେଶନରେ ୬ଟି ବିଲ୍ ଆସିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ । ଗଣମାଧ୍ଯମକୁ ସେ କହିଛନ୍ତି, ବିରୋଧୀ ଦଳ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଯାହା ବି ପ୍ରସଙ୍ଗ ଆଣିବେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।ଚଳିତ ମୌସୁମୀ ଅଧିବେଶନ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ବିଜେଡି ବିଧାୟକ ଦଳ ବୈଠକରେ MMDR Amendment Actକୁ ପ୍ରମୁଖ ପ୍ରସଙ୍ଗ ଭାବେ ଗୃହରେ ଉଠାଇବାକୁ ରଣନୀତି କରିଛି । ଏହା ସହିତ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି, କୃଷକ ସମସ୍ୟା, ଆଇନଶୃଙ୍ଖଳା, ବନ୍ୟା ପରିଚାଳନା, ଦରଦାମ ବୃଦ୍ଧି, ଆର୍ଥିକ ପରିଚାଳନା ଓ ବଜେଟ୍ ଖର୍ଚ୍ଚ ଭଳି ପ୍ରସଙ୍ଗ ମଧ୍ୟ ଉଠାଇବା ନେଇ ଦଳ ପକ୍ଷରୁ କୁହାଯାଇଛି । ବିଜେଡିର ଡେପୁଟି ଲିଡର ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଅଧିବେଶନ ଆରମ୍ଭରୁ ହିଁ MMDR ସଂଶୋଧନ ପ୍ରସଙ୍ଗ ଉଠାଯିବ । ଦଳ ପକ୍ଷରୁ ଏହି ଆଇନର ଓଡ଼ିଶା ଉପରେ ପଡ଼ିପାରୁଥିବା ଆର୍ଥିକ ପ୍ରଭାବ ନେଇ ଆଲୋଚନା ଦାବି କରାଯାଇଛି ।ଏହି ସ୍ବଳ୍ପ ଅବଧିର ଅଧିବେଶନ ବେଶ୍ ସରଗରମ ରହିବା ସମ୍ଭାବନା ରହିଛି।