ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ | ଛାତ୍ର ଛାତ୍ରୀଙ୍କୁ ମିଳିଲା ନୂଆ ପାଠ୍ୟପୁସ୍ତକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ପିଲାଙ୍କୁ ସଂଶୋଧିତ ପାଠ୍ୟ ପୁସ୍ତକ ବଣ୍ଟନ। ଆବଶ୍ୟକୀୟ ସଂଶୋଧନ ପରେ ନୂତନ ପାଠ୍ୟପୁସ୍ତକର ବଣ୍ଟନ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଆରମ୍ଭ ହୋଇଛି ବହି ବଣ୍ଟନ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସେହିପରି ଭାବରେ ପୁନର୍ବାର ଯେପରି ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନରହେ, ସେଥିପାଇଁ ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସତର୍କତାର ସହ କରାଯାଇଥିବା କୁହାଯାଉଛି | ନୂଆ ପାଠ୍ୟପୁସ୍ତକ ମିଳିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଥିବା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ଚଳିତବର୍ଷ ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ସାମନାକୁ ଆସିଥିଲା ପାଠ୍ୟପୁସ୍ତକରେ ଭୁଲ୍। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାବହିରେ ଭୁଲ୍ ସାମନାକୁ ଆସିଥିଲା। ପାଖାପାଖି ୧୬୭୮ରୁ ଅଧିକ ଭୁଲ ଦେଖିବାକୁ ମିଳିଥିଲା | ଯାହା NEPକୁ ଆଧାର କରି ପ୍ରଥମ ଥର ପାଇଁ ସ୍କୁଲର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା | ବହିରେ ପରିବର୍ତ୍ତନ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଡେରିରେ ପାଠ୍ୟ ପୁସ୍ତକ ମିଳିଥିଲା | ତେବେ କେଉଁଠି ବନାନ୍ ଭୁଲ୍ ରହିଛି ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ ରହିଥିବା ଭଳି ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା |