ଯୌନ ଉତ୍ପୀଡ଼ନ ପ୍ରତିରୋଧ ନେଇ ଏକଦିନିଆ କର୍ମଶାଳା

କାଶୀନଗର, ରାଜ୍ୟ କାହାଣୀ -ସମ୍ପ୍ରତି ଘଟୁଥିବା ଯୌନ ଉତ୍ପୀଡ଼ନ ଭଳି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିରେ ରଖି ଯୌନ ଉତ୍ପୀଡ଼ନ ପ୍ରତିରୋଧ ଓ ସଚେତନତା ସମ୍ପର୍କରେ କାଶୀନଗରସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଏକଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

କାଶୀନଗର ଏନ୍‌ଏସି ଅଧ୍ୟକ୍ଷା ଏମ୍‌. ସୁଧାରାଣୀ କର୍ମଶାଳାରେ ଅଧ୍ୟକ୍ଷତା କରିଥିବାବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗଜପତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସରଳା ପାତ୍ର ଯୋଗଦେଇ ଯୌନ ଉତ୍ପୀଡ଼ନ ପ୍ରତିରୋଧ ପାଇଁ ଆଇନଗତ ବ୍ୟବସ୍ଥା ଏବଂ କମିଟି ଗଠନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।

ଏହି ଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଡି. ଦିବ୍ୟ ରଞ୍ଜନ, କାଉନସିଲର କେ. ରାମାରାଓ ପ୍ରମୁଖ ମଞ୍ଚାସୀନ ଥିଲେ। ଏନ୍‌ଏସି ସିଇଓ ଶୁଆଲ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଜିଲ୍ଲା ଆର୍ଥିକ ସହାୟିକା ଗାୟତ୍ରୀ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଏବଂ ଆଇସିସି ସଦସ୍ୟ ତଥା ସମାଜସେବୀ ହୃଷୀକେଶ ଗୌଡ଼ ଯୋଗଦେଇ ଘରୋଇ ହିଂସା, ଯୌତୁକ ନିର୍ଯାତନା ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଅସଦାଚରଣ ରୋକିବା ସମ୍ପର୍କିତ ଆଇନ ଓ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ମହିଳାମାନେ ନିଜ ଅଧିକାର ଓ ଆଇନଗତ ସୁରକ୍ଷା ବିଷୟରେ ସଚେତନ ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।

ଆଇସିସି ସଦସ୍ୟ ନକୁଳ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଯୌନ ଉତ୍ପୀଡ଼ନ ପ୍ରତିରୋଧ ଓ ମହିଳାଙ୍କ ସୁରକ୍ଷା ନେଇ ଶପଥ ପାଠ କରାଯାଇଥିଲା।

କର୍ମଶାଳାରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ, ଅଭିଯୋଗ ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ଭୂମିକା ଏବଂ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତିର ମହିଳା ସଦସ୍ୟା, ଆଶା କର୍ମୀ ଏବଂ ଏନ୍‌ଏସିର କର୍ମଚାରୀମାନେ ଉପସ୍ଥିତ ଥିଲେ।

You might also like