ଜଳବାୟୁ ସମ୍ମିଳନୀରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ କହିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନ କରିଛନ୍ତି। । ଜାତୀୟ ସବୁଜ ଟ୍ରିବ୍ୟୁନାଲ (NGT) ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ । ଏହି ସମ୍ମିଳନୀରେ ପରିବେଶ ବିଶେଷଜ୍ଞ, ଭାରତର ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟର ବିଚାରପତି, ବିଭିନ୍ନ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ ୧୭ଟି ଦେଶର ବିଚାରପତି ଓ ନ୍ୟାୟିକ ପ୍ରତିନିଧିମାନେ ସାମିଲ ହେବେ । ଏହା ବିଭିନ୍ନ ଦେଶ ମଧ୍ୟରେ ଆଇନଗତ ଦୃଷ୍ଟିକୋଣ, ବୈଜ୍ଞାନିକ ଜ୍ଞାନକୌଶଳ, ପରିବେଶଗତ ଶାସନ ଏବଂ ପ୍ରତିଷ୍ଠାନଗତ ଅଭିଜ୍ଞତା ଆଦାନପ୍ରଦାନ ପାଇଁ ଏକକୋଷୀ ମଞ୍ଚ ଯୋଗାଇବ ।ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (NGT) ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀ ସେପ୍ଟେମ୍ବର ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ପରିବେଶ ସଂରକ୍ଷଣ, ଅକ୍ଷୟ ଶକ୍ତି, କାର୍ବନ ନିର୍ଗମନ, ସୌର ଶକ୍ତି, ବୈଦ୍ୟୁତିକ ଯାନ, ଜଳ ସଂରକ୍ଷଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି କ୍ଷେତ୍ରରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପରିବେଶ ସଂରକ୍ଷଣ ଦିଗରେ ଭାରତ ବିଶ୍ୱ ସମ୍ପ୍ରଦାୟ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ଏବଂ ନୂତନ ମାନଦଣ୍ଡ ସ୍ଥାପନ କରୁଛି।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କାର୍ବନ ନିର୍ଗମନ ପାଇଁ ଦାୟିତ୍ୱ ପ୍ରାୟତଃ ଅନ୍ୟାୟ ଭାବେ ବିକାଶଶୀଳ ଦେଶଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥାଏ। ସେ ଉଲ୍ଲେଖ କରିଛନ୍ତି ଯେ ବାସ୍ତବତା ହେଉଛି, ଆଜି ମଧ୍ୟ ଭାରତର ମୁଣ୍ଡପିଛା କାର୍ବନ ନିର୍ଗମନ ପରିମାଣ ବିଶ୍ୱ ହାରାହାରିର ଅଧାରୁ ମଧ୍ୟ କମ ଅଟେ। ବିକଶିତ ଦେଶଗୁଡ଼ିକରେ ମୁଣ୍ଡପିଛା କାର୍ବନ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ ରହିଛି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ପାଇଁ ମଧ୍ୟ ଏକ ବଡ଼ ଆହ୍ବାନ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ‘ସିଙ୍ଗଲ-ୟୁଜ ପ୍ଲାଷ୍ଟିକ’ (ଥରେ ମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ଉପରେ କଟକଣା ଲଗାଇଛି। ସେ ଉଲ୍ଲେଖ କରିଛନ୍ତି ଯେ ‘ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ’ (Reduce, Reuse, and Recycle) ମନ୍ତ୍ର ମାଧ୍ୟମରେ ‘ସର୍କୁଲାର୍‌ ଇକୋନୋମି’ ବା ଚକ୍ରୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରାଯାଉଛି। ଆଜି ଭାରତରେ ପ୍ରତିଦିନ ହଜାର ହଜାର ଟନ ବର୍ଜ୍ୟବସ୍ତୁର ପୁନଃଚକ୍ରଣ କରାଯାଉଛି। ଗତ ୧୨ ବର୍ଷ ଭିତରେ ଦେଶର ସୌର ଶକ୍ତି କ୍ଷମତା ମାତ୍ର ୨ ଗିଗାୱାଟ୍ରୁ ବୃଦ୍ଧି ପାଇ ୧୬୦ ଗିଗାୱାଟରେ ପହଞ୍ଚିଛି । ପିଏମ୍ ସୂର୍ଯ୍ୟ ଘର ଯୋଜନାର ସଫଳତା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଘରେ ସୋଲାର ପ୍ୟାନେଲ୍ ଲଗାଯାଇଛି । କେବଳ ସୌର ଶକ୍ତିର ବ୍ୟବହାର ଦ୍ୱାରା ପ୍ରାୟ ୨୦ କୋଟି ଟନ୍ କାର୍ବନ ନିର୍ଗମନକୁ ସଫଳତାର ସହ ରୋକାଯାଇପାରିଛି । ପିଏମ୍-କୁସୁମ୍ ଯୋଜନା ଅଧୀନରେ ଦେଶର ୩୦ ଲକ୍ଷରୁ ଅଧିକ ଚାଷୀଙ୍କ କ୍ଷେତରେ ସୋଲାର ପମ୍ପ ସ୍ଥାପନ କରାଯାଇଛି । ଦେଶରେ ପବନ ଶକ୍ତି ଉତ୍ପାଦନ କ୍ଷମତା ମଧ୍ୟ ତିନି ଗୁଣ ବୃଦ୍ଧି ପାଇଛି । ଏହି ସମ୍ମିଳନୀରେ ପରିବେଶ ଓ ଜଳବାୟୁ ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ବିଭିନ୍ନ ଦେଶର ଅଭିଜ୍ଞତା ଏବଂ ପ୍ରତିଷ୍ଠାନଗତ ସହଯୋଗକୁ ଅଧିକ ମଜଭୁତ କରିବା ଦିଗରେ ବିସ୍ତୃତ ଆଲୋଚନା କରାଯାଉଛି ।

You might also like