ତିରୁପତି ଲଡ଼ୁ ଘିଅରେ ପାମ୍ ଅଏଲ୍! ଇଡି ଜାଲରେ ଫୁଡ୍ସ ପ୍ରମୋଟର

ତିରୁପତି ଲଡୁ ପ୍ରସାଦମ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ଅପମିଶ୍ରଣ ଅଭିଯୋଗ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ସୁକୃତି ଫୁଡ୍ସର ପ୍ରମୋଟର କୈଳାଶ ଚନ୍ଦ୍ର ମଙ୍ଗଲାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ସେପ୍ଟେମ୍ବର ୧୭ ତାରିଖରେ ଇଡିର ହାଇଦ୍ରାବାଦ କାର୍ଯ୍ୟାଳୟ ମଙ୍ଗଲାଙ୍କୁ ଗିରଫ କରିଥିବା ଏଜେନ୍ସି ପକ୍ଷରୁ କୁହାଯାଇଛି। ପରେ ତାଙ୍କୁ ବିଶାଖାପାଟଣାର ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ବା PMLA କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁଡିସିଆଲ୍ କଷ୍ଟିଡିୁକୁ ପଠାଇଥିବା ଇଡି କହିଛି।ଇଡିର ଦାବି ଅନୁସାରେ, ୨୦୧୯ରୁ ୨୦୨୪ ମଧ୍ୟରେ ତିରୁମଲା ତିରୁପତି ଦେବସ୍ଥାନମ୍ ବା TTDକୁ ଯେଉଁ ଘିଅ ଯୋଗାଣ ହୋଇଥିଲା, ସେଥିରେ କଥିତ ଭାବେ ମିଶାଣ କରାଯାଇଥିଲା । ଏହି ଘିଅକୁ Agmark Special Grade Cow Ghee ଭାବେ ଯୋଗାଣ କରାଯାଇଥିବା ଇଡି ଅଭିଯୋଗ କରିଛି । ଇଡି କହିଛି, କଥିତ ମିଶାଣ ଘିଅ ପ୍ରସ୍ତୁତିରେ ରିଫାଇନ୍ଡ ପାମ୍ ଅଏଲ୍, ପାମ୍ କର୍ଣ୍ଣେଲ୍ ଅଏଲ୍, ପାମୋଲିନ୍ ସହିତ MG-90, ମୋନୋଗ୍ଲିସେରାଇଡ୍ସ, Myvacet Soft 400 ଏବଂ ଏସିଟିକ୍ ଏସିଡ୍ ଏଷ୍ଟର ଭଳି କେମିକାଲ୍ ବ୍ୟବହାର ହୋଇଥିବା ଦାବି କରିଛି । ଇଡି ଅନୁସାରେ, ୨୦୧୯ରୁ ୨୦୨୪ ମଧ୍ୟରେ TTDକୁ ହୋଇଥିବା କଥିତ ଜାଲିଆତିପୂର୍ଣ୍ଣ ଘିଅ ଯୋଗାଣର ମୂଲ୍ୟ ପ୍ରାୟ ୨୩୦ କୋଟି ଟଙ୍କା । ଏଥିରୁ ପ୍ରାୟ ୯୬ କୋଟି ଟଙ୍କାର କଥିତ ମିଶାଣ ଘିଅ ମଙ୍ଗଲାଙ୍କ କାରଖାନାରେ ପ୍ରସ୍ତୁତ ହୋଇଥିବା ଏଜେନ୍ସି ଦାବି କରିଛି । ଇଡି ଆହୁରି ଅଭିଯୋଗ କରିଛି ଯେ, ମଙ୍ଗଲା ଏହି ଅପମିଶ୍ରିତ ଘିଅ ଯୋଗାଣ ପାଇଁ ବିଭିନ୍ନ ଆଗ ଧାଡ଼ିର ସଂସ୍ଥାର ସହାୟତା ନେଇଥିଲେ। ଏଥିରେ ଶ୍ରୀ ବୈଷ୍ଣବୀ ଡେୟରୀ ସ୍ପେସିଆଲିଟିଜ୍, ମାଲଗଙ୍ଗା ମିଲ୍କ ଆଣ୍ଡ ଏଗ୍ରୋ ପ୍ରଡକ୍ଟସ୍ ଏବଂ ଏ.ଆର୍. ଡେୟରୀ ଫୁଡ୍ସ ଭଳି ସଂସ୍ଥାର ନାଁ ରହିଛି।

ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁସାରେ, ମଙ୍ଗଲା ଘିଅ ଓ ରିଫାଇନ୍ଡ ପାମ୍ ଅଏଲ୍ର କିଣାବିକା ନେଇ ମିଥ୍ୟା ରେକର୍ଡ ତିଆରି ଓ ସଂରକ୍ଷଣ କରିଥିଲେ। ଅପମିଶ୍ରିତ ପଦାର୍ଥର ପ୍ରକୃତ ବ୍ୟବହାରକୁ ଲୁଚାଇବା ଏବଂ ଅସଲି ଗୁଆ ଘିଅ ପ୍ରସ୍ତୁତ ଓ ଯୋଗାଣ କରାଯାଉଥିବା ଭଳି ଦେଖାଇବା ପାଇଁ ଏପରି ରେକର୍ଡ ପ୍ରସ୍ତୁତ ହୋଇଥିବା ଇଡି ଅଭିଯୋଗ କରିଛି।

You might also like