ଅଧିକାରୀଙ୍କ ଟେବୁଲରେ ବୁଲା କୁକୁର ଛାଡ଼ିଲେ, ନୋଟ୍ ମାଳ ପିନ୍ଧାଇଲେ ଯୁବନେତା
ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ ରନ୍ଧାୱେ ଏକ ବ୍ୟାଗରେ ବୁଲା କୁକୁରକୁ ଧରି ନିଫାଡ଼ ନଗର ପଞ୍ଚାୟତର ଚିଫ୍ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବ୍ୟାଗ ଖୋଲି କୁକୁରଟିକୁ ଅଧିକାରୀଙ୍କ ଟେବୁଲ୍ ଉପରେ ଛାଡ଼ି ଦେଇଥିଲେ ।ରିପୋର୍ଟ ଅନୁସାରେ, ବୁଲା କୁକୁରଙ୍କ ଉପଦ୍ରବ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ। ଏହାକୁ ନେଇ ଯୁବ ସେନା ଜିଲ୍ଲା ମୁଖ୍ୟ ବିକ୍ରମ ରାନ୍ଧଭେଙ୍କ ନେତୃତ୍ୱରେ ଏହି ପ୍ରତିବାଦ ହୋଇଥିଲା । ପ୍ରତିବାଦ ସମୟରେ କିଛି ବୁଲା କୁକୁରଙ୍କୁ ବସ୍ତାରେ ଆଣି ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରକୁ ନିଆଯାଇଥିଲା ଏବଂ ଟେବୁଲ ଉପରେ ଛାଡ଼ି ଦିଆଯାଇଥିଲା। ଏହା ସହିତ ଅଧିକାରୀଙ୍କୁ ନୋଟ୍ର ମାଳ ପିନ୍ଧାଇ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରତୀକାତ୍ମକ ଭାବେ ପ୍ରଶ୍ନ ଉଠାଯାଇଥିଲା। ଅଭିଯୋଗ ଅନୁସାରେ, କେବଳ ଅଭିଯୋଗ ଗ୍ରହଣ କରିଦେଲେ ସମସ୍ୟାର ସମାଧାନ ହେବନାହିଁ । ବୁଲା କୁକୁରଙ୍କୁ ଧରିବା ଏବଂ ସଂଖ୍ୟା ନିୟନ୍ତ୍ରଣ ପାଇଁ ମାଟିସ୍ତରରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।ପ୍ରଦର୍ଶନକାରୀମାନେ ତୁରନ୍ତ ବୁଲା କୁକୁରଙ୍କ ନସବନ୍ଦୀ ଅଭିଯାନ ଆରମ୍ଭ କରିବା, କୁକୁରଙ୍କୁ ଧରିବା ପାଇଁ ବ୍ୟବସ୍ଥା କରିବା ଏବଂ ସମସ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନଗର ପଞ୍ଚାୟତକୁ ଦାବି କରିଛନ୍ତି । ରନ୍ଧାୱେ ଅଭିଯୋଗ କରିଛନ୍ତି ଯେ ଦୀର୍ଘଦିନ ଧରି ଏହି ପ୍ରସଙ୍ଗ ଉଠାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ଯଦି ଶୀଘ୍ର ସମାଧାନ ନହୁଏ, ତେବେ ପୁଣି ଥରେ ପ୍ରତିବାଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।