ତିନି ବିଦେଶୀ ନାଗରିକଙ୍କୁ ବିନା ଯାଞ୍ଚରେ ଯାତ୍ରା ଅନୁମତି, ଏୟାର ଇଣ୍ଡିଆ ସିଇଓଙ୍କୁ କେନ୍ଦ୍ର ସରକାରଙ୍କ ସମନ୍
ଏୟାର ଇଣ୍ଡିଆ ସିଇଓଙ୍କୁ ସମନ୍ । ତିନି ବିଦେଶୀ ନାଗରିକଙ୍କୁ ବିନା ଯାଞ୍ଚରେ ଯାତ୍ରା ଅନୁମତି ମିଳିଥିବାରୁ ସମନ୍ କରିଛନ୍ତି କେନ୍ଦ୍ର ସରକାର । ଇମିଗ୍ରେସନ୍ କ୍ଲିଅରାନ୍ସ ବାଧ୍ୟତାମୂଳକ ଥିବା ସତ୍ତ୍ବେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏହି ତ୍ରୁଟି ଯୋଗୁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।ସେପ୍ଟେମ୍ବର ୪ରେ ତିନି ଯାତ୍ରୀ ଅମୃତସରରୁ ଏୟାର ଇଣ୍ଡିଆର ଘରୋଇ ବିମାନରେ ଦିଲ୍ଲୀ ଆସିଥିଲେ । ଏହାପରେ ଲୁଫଥାନସା ବିମାନରେ ମ୍ୟୁନିକ ଯିବାର ଥିଲା । ନିୟମ ଅନୁସାରେ, ଘରୋଇ ବିମାନରୁ ଓହ୍ଲାଇବା ପରେ ଇମିଗ୍ରେସନ୍ ଯାଞ୍ଚ ସାରି ଅନ୍ତର୍ଜାତୀୟ ବିମାନ ଧରିବା କଥା ।ହେଲେ ଭୁଲବଶତଃ ଯାତ୍ରୀମାନଙ୍କୁ ସିଧାସଳଖ ଇଣ୍ଟରନ୍ୟାସନାଲ୍-ଟୁ-ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସଫର ଅଞ୍ଚଳକୁ ପଠାଇ ଦିଆଯାଇଥିଲା । ଫଳରେ ଇମିଗ୍ରେସନ୍ ପ୍ରକ୍ରିୟା ନକରି ସେମାନେ ଲୁଫଥାନସା ବିମାନରେ ମ୍ୟୁନିକ ଚାଲିଯାଇଥିଲେ। ପରେ ତଥ୍ୟ ଯାଞ୍ଚ ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା ।ଏଥିଯୋଗୁ ବେସାମରିକ ମନ୍ତ୍ରାଳୟ ପକ୍ଷରୁ ୭ ଦିନିଆ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଏହି ବଡ଼ ସୁରକ୍ଷା ତ୍ରୁଟିର ସମୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବୈଠକ ଡକାଯାଇଛି ।