ଦିଶା ସାଲିଆନ୍ ମାମଲାରେ ସିବିଆଇ FIRରେ ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସମେତ ୧୭ ଜଣଙ୍କ ନାଁ

ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଅଡ଼ୁଆ ବଢ଼ୁଥିବା ନଜର ଆସୁଛି । ଏହି ମାମଲାରେ ଆଜି ସିବିଆଇ ଏକ ଏଫଆଇଆର ରୁଜୁ କରିଛି, ଯେଉଁଥିରେ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ନାମ ସାମିଲ ରହିଛି । ଏହା ବ୍ୟତୀତ ସେହି ସମୟରେ ମୁମ୍ବାଇର ପୁଲିସ କମିଶନର ଥିବା ପରମବୀର ସିଂହ ଏବଂ ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମ ମଧ୍ୟ ଏହି ମାମଲାରେ ଦର୍ଜ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏଥିରୁ କାହାକୁ ବି ସିଧାସଳଖ ଅଭିଯୁକ୍ତ କରାଯାଇ ନାହିଁ । ବମ୍ବେ ହାଇକୋର୍ଟଙ୍କ ଜଷ୍ଟିସ୍ ସାରଙ୍ଗ କୋଟୱାଲ୍ ଏବଂ ଜଷ୍ଟିସ୍ ରଣଜିତସିଂହ ରାଜା ଭୋଂସଲେଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୨ରେ ଦିଶା ସାଲିଆନଙ୍କ ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସିବିଆଇକୁ ମାମଲାର ତଦନ୍ତ ପାଇଁ ଜଣେ ଅଭିଜ୍ଞ ଏବଂ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଛାତରୁ ଖସିପଡ଼ି ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା ।ଅଭିଯୋଗ ହୋଇଛି ଯେ, ଆଦିତ୍ୟ ଠାକରେଙ୍କ ପିତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଅନ୍ୟମାନେ ଷଡ଼ଯନ୍ତ୍ର ଫାଞ୍ଚିବା ସହ ମାମଲାକୁ ଚାପିଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମ୍ପୃକ୍ତ ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀମାନେ ମାମଲା ସହ ଜଡ଼ିତ କାଗଜପତ୍ର, ଫାଇଲ୍ ଏବଂ ଅନ୍ୟାନ୍ୟ ସରକାରୀ ରେକର୍ଡ ନଷ୍ଟ କିମ୍ବା ଗାଏବ କରିଛନ୍ତି କି ନାହିଁ, ସେ ନେଇ ସେମାନଙ୍କ ତଦନ୍ତ କରାଯିବା ଆବଶ୍ୟକ । ଏହାସହ ସରକାରୀ ରେକର୍ଡରେ ଜାଲିଆତି କରି ଅଭିଯୁକ୍ତମାନଙ୍କୁ ବଞ୍ଚାଇବା ପାଇଁ ସରକାରୀ ଅର୍ଥ, କର୍ମଚାରୀ ଏବଂ ପୋଲିସ ବ୍ୟବସ୍ଥାର ବେଆଇନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ତାଲିକାରେ ଆଦିତ୍ୟ ଠାକରେ, ରୋହନ ରୋୟ, ଡିନୋ ମୋରିଆ, ସୂରଜ ପାଞ୍ଚୋଲି, ଆଦିତ୍ୟ ଠାକରେଙ୍କ ବଡିଗାର୍ଡ, ରିଆ ଚକ୍ରବର୍ତ୍ତୀ, ଶୋବିକ ଚକ୍ରବର୍ତ୍ତୀ, ସଚିନ ୱାଜେ, ପରମବୀର ସିଂହ, ଡିସିପି ବିଶାଳ ଠାକୁର, ଉଦ୍ଧବ ଠାକରେ ଏବଂ ଅନିଲ ଦେଶମୁଖ ପ୍ରମୁଖ ସାମିଲ ଅଛନ୍ତି । ଏହାସହିତ ଏପିଆଇ ଅଶୋକ ଦେୱାଡେ, ପିଆଇ ଜଗଦେବ କଲାପଡ, ପିଆଇ ଶୈଳେନ୍ଦ୍ର ନଗରକର, ପିଆଇ ଚିମାଜି ଆଧବ, ପିଆଇ ଅର୍ଜୁନ ରାଜାନେ ଏବଂ ମାଲୱାଣୀ ପୋଲିସ ଷ୍ଟେସନର ସମ୍ପୃକ୍ତ ଅଧିକାରୀମାନଙ୍କ ନାମ ମଧ୍ୟ ରହିଛି । ଏହାଛଡ଼ା ବିଳମ୍ବରେ ପୋଷ୍ଟମର୍ଟମ କରିଥିବା ଡାକ୍ତର ଓ ଷ୍ଟାଫ୍ ଡକ୍ଟର ସଞ୍ଜୟ ଯାଦବ ଏବଂ କାଲିନା ସ୍ଥିତ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀର ସମ୍ପୃକ୍ତ ଅଧିକାରୀ, ଯେଉଁଥିରେ ସହାୟକ କେମିକାଲ୍ ଆନାଲାଇଜର N.P. ଭାଲେ ମଧ୍ୟ ଅଛନ୍ତି, ସେମାନଙ୍କ ନାମ FIR ରେ ଉଲ୍ଲେଖ ରହିଛି ।

You might also like