ବାଲେଶ୍ୱରରୁ ୫ ଓରାଂଉଟାନ୍‌ ଉଦ୍ଧାର ଘଟଣା; ସୁରକ୍ଷା ପାଇଁ ଗଠନ ହେଲା ବୈଷୟିକ କମିଟି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାରେ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ସପ୍ତାହେ ବିତିଛି । କିନ୍ତୁ ବିରଳ ବନ୍ୟଜନ୍ତୁ ତସ୍କରୀ ପଛ ରହସ୍ୟ ପଦାକୁ ଆସିପାରିଲାନି । ଦୀଘାରେ ଡିଲ୍ ଘଟଣା ବି କିଛି ସ୍ପଷ୍ଟ ହେଲାନି । ହୋଟେଲର ସିସିଟିଭି ଫୁଟେଜ୍ରୁ କିଛି ଚାଞ୍ଚଲ୍ୟକର ତଥ୍ୟ ଆଶାରେ ଥିଲା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) । କିନ୍ତୁ ହାର୍ଡଡିସ୍କରୁ ଡାଟା ଡିଲିଟ୍ ହୋଇଥିବାରୁ ତଥ୍ୟ ପ୍ରମାଣ ହାତେଇ ପାରିନି ଏସ୍‌ଟିଏଫ୍ । tebe ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌ ହୋଟେଲର ମାଲିକ ତଥା ହାଓଡା ଆନ୍ଦୋଳ ଅଞ୍ଚଳର ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି ହିଁ ଏହି ପ୍ରାଣୀ ଚୋରା ଚାଲାଣର ମାଷ୍ଟରମାଇଣ୍ଡ୍‌। ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ପଶ୍ଚିମବଙ୍ଗର ଦୀଘା ଓ ଓଡ଼ିଶାର ବାଲେଶ୍ୱର ସୀମାରେ ଥିବା ୧୭୦ ସିସିଟିଭି ଯାଞ୍ଚ କରିବା ସହ ଉକ୍ତ ହୋଟେଲର ମ୍ୟାନେଜରଙ୍କ ସମେତ ୫ କର୍ମଚାରୀଙ୍କୁ ପଚରାଉଚରା ପରେ ଏଭଳି ବହୁ ତଥ୍ୟ ହାସଲ କରିଛି। ଉଭୟ ବାପପୁଅଙ୍କ ଇଣ୍ଟରନ୍ୟାଶନାଲ ବନ୍ୟଜନ୍ତୁ ଚାଲାଣକାରୀଙ୍କ ସହ ରହିଛି ନିବିଡ଼ ସମ୍ପର୍କ। ସେମାନେ ଭାରତରୁ ବଜ୍ରକାପ୍ତା, ହାତୀଦାନ୍ତ, ସାପ ସମେତ ବିଭିନ୍ନ ବନ୍ୟପ୍ରାଣୀ ଏବଂ ପଡୋଶୀ ଦେଶରୁ ଓରାଙ୍ଗ୍‌ଉଟାନ ଭଳି ବିରଳ ବନ୍ୟପ୍ରାଣୀ ଚାଲାଣ କରିଥିବା ଜଣାପଡିଛି। ଏହି ବେଆଇନ କାରବାରରୁ କୋଟି କୋଟି ଟଙ୍କା ରୋଜଗାର କରି ହୋଟେଲ ସମେତ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି। ଏଥିସହ ଭାରତର ବିଭିନ୍ନ ଜଙ୍ଗଲରେ ଚାଲିଥିବା ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣରେ ସେମାନଙ୍କର ସମ୍ପୃକ୍ତି ରହିଛି। ସେମାନଙ୍କ ନାମରେ ପଶ୍ଚିମବଙ୍ଗ ସମେତ ଦେଶର ବିଭିନ୍ନ ରାଜ୍ୟରେ ମାମଲା ରହିଥିବା ଏସ୍‌ଟିଏଫ୍‌ ଟିମ୍‌ ଜାଣିବାକୁ ପାଇଛି। ଅନ୍ୟପଟେ ୫ ଓରାଂଓଟାନଙ୍କ ଯତ୍ନ ପାଇଁ ଗଠିତ ହୋଇଛି ବୈଷୟିକ କମିଟି । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ବୈଷୟିକ କମିଟି ଗଠନ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଓ ଉଦ୍ଧାର ପରବର୍ତ୍ତୀ ଯତ୍ନ ସମ୍ପର୍କିତ ବିଭିନ୍ନ ବୈଷୟିକ ପରାମର୍ଶ ଦେବା ସହିତ ଓରାଂଉଟାନଙ୍କୁ ଉପଯୁକ୍ତ ଭାବେ ଯତ୍ନ ନେବା ଉଦ୍ଦେଶ୍ୟରେ ଏହି କମିଟି ଗଠନ କରାଯାଇଛି । କମିଟିର କାର୍ଯ୍ୟକାଳ ୬ ମାସ ରହିବ ।

You might also like