ସରିଲା ପାଇଲଟ ସର୍ଭେ, ଅକ୍ଟୋବର ୨୬ରୁ ଘରକୁ ଘର ବୁଲିବେ BLO

ଭୁବନେଶ୍ୱର (ରାଜ୍ୟ କାହାଣୀ )ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଦୂର କରିବା ଲକ୍ଷ୍ୟରେ ବିଏମସି ଅଞ୍ଚଳରେ ଏକ ବିଶେଷ ପାଇଲଟ ସର୍ଭେ ଅଭିଯାନ ଶେଷ ହୋଇଛି । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ, ସଂରକ୍ଷଣ ପାଇଁ ୨୯ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୌର ପ୍ରଶାସକ ।ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ଏକପ୍ରକାର ଚୂଡାନ୍ତ ହୋଇ ସାରିଛି । କିନ୍ତୁ ବିଧିବଦ୍ଧ ତାରିଖ ଘୋଷଣା ବାକି ରହିଛି । ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଅକ୍ଟୋବର ୨୬ରୁ ଘର ଘର ବୁଲି ସର୍ଭେ କରାଯିବ । ଏହା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୭ ଜାନୁଆରୀ ୧ ତାରିଖ ସୁଦ୍ଧା ସବୁ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରାଯିବ । ସେହିଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଆବଶ୍ୟକ ସଂଶୋଧନ ଓ ଅନ୍ୟାନ୍ୟ ପ୍ରକ୍ରିୟା ପରେ ଫେବୃଆରୀ ୧୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।ଏହା ପୂର୍ବରୁ ଅଧିକାରୀମାନଙ୍କୁ ତାଲିମ ଦିଆଯିବ । ଚଳିତ ମାସ ୨୩ ତାରିଖରେ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଜିଲ୍ଲା ସ୍ତରରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଥିବା ଅଧିକାରୀମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବେ । ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ ।

You might also like