ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ କରିଛନ୍ତି।ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଛି। ଏଥିରେ ଓଡ଼ିଶାରେ ନୂତନ ପୁଞ୍ଜିନିବେଶ ସୁଯୋଗ ଅନ୍ୱେଷଣ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପ ପରିବେଶ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ସମ୍ଭାବନାକୁ ଉପସ୍ଥାପନ କରିବା ସହ ୟୁଏଇର ନିବେଶକମାନଙ୍କୁ ଓଡ଼ିଶାରେ ସୁଯୋଗ ଅନ୍ୱେଷଣ ଏବଂ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ଓଡ଼ିଶାର ଆଲୁମିନିୟମ୍ ଶିଳ୍ପ ପରିବେଶ ଓ ଡାଉନ୍ ଷ୍ଟ୍ରିମ୍ କ୍ଷେତ୍ରରେ ନିବେଶ ଆହ୍ବାନ କରିଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଇଣ୍ଟରନ୍ୟାଶନାଲ ରିସୋର୍ସେସ ହୋଲ୍ଡିଂ (ଆଇଆର୍‌ଏଚ୍‌) ସିଇଓ ଅଲି ରସିଦ ଅଲ୍‌ ରସିଦ, ଟୁ ପଏଣ୍ଟ ଜିରୋ ସିଇଓ ମହମ୍ମଦ ହେସାମ, ଘିଥା ହୋଲ୍ଡିଂସ ଗ୍ରୁପ୍‌ ସିଇଓ ଫଲାଲ ଅମିନ, ବୁର୍ଜିଲ ହୋଲ୍ଡିଂସର ଗ୍ରୁପ୍‌ ସିଇଓ ଫଲାଲ ଅମିନ, ବୁର୍ଜିଲ ହୋଲ୍ଡିଂର ଅଧ୍ୟକ୍ଷ ଶମଶୀର ଭାୟାଲିଲ, ଏମ୍‌ଏମ୍‌ଡିସି ଗ୍ରୁପ୍‌ର ସିଇଓ ୟାସିର ଜାଗଲୁଲ ପ୍ରମୁଖ ଏଥିରେ ସାମିଲ ଥିଲେ। ମୁଖ୍ୟମନ୍ତ୍ରୀ ‘ଇଣ୍ଡିଆନ ବିଜ୍‌ନେସ୍‌ ଆଣ୍ଡ୍‌ ପ୍ରଫେସନାଲ ଗ୍ରୁପ’ (ଆଇବିପିଜି) ସଭାପତି ରାଜୀବ ଶାହ ଓ ସାଧାରଣ ସମ୍ପାଦକ ବରୁଣ ୱାହିଙ୍କ ସମେତ ସଦସ୍ୟମାନଙ୍କୁ ଭେଟିଛନ୍ତି। ଓଡ଼ିଶା ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଏବଂ ଆଇବିପିଜି ମଧ୍ୟରେ ଏକ ସହଯୋଗିତାମୂଳକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅଧୀନରେ ଓଡ଼ିଶାରୁ ହଳଦୀ, ଅଦା ଭଳି ମସଲାଜାତୀୟ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି, ୟୁଏଇର ପ୍ରମୁଖ ବ୍ରାଣ୍ଡ୍‌ଗୁଡ଼ିକ ପାଇଁ କଣ୍ଟ୍ରାକ୍ଟ ମାନୁଫାକ୍ଚରିଂ ଏବଂ ରାଜ୍ୟର ଦକ୍ଷ ମାନବସମ୍ବଳ ନିଯୁକ୍ତି ଉପରେ ବିଶେଷ ଆଲୋଚନା ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ଉଦ୍ୟୋଗୀମାନେ ମଧ୍ୟ ଭାଗନେଇଛନ୍ତି। ସେମାନେ ବ୍ୟବସାୟିକ ଭାଗୀଦାରି ବିସ୍ତାର, ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ ୟୁଏଇ ବଜାରରେ ପହଞ୍ଚ ବୃଦ୍ଧି କରିବା ନେଇ ନିଜ ନିଜର ମତ ରଖିଛନ୍ତି।

You might also like