ଆଜି ଲଘୁଚାପ ସମ୍ଭାବନା, ଉତ୍ତର ଓଡ଼ିଶାରେ ବଢ଼ିବ ବର୍ଷା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗୁରୁବାର ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସବୁଠାରୁ ଅଧିକ ବର୍ଷାର ଆଶଙ୍କା ମୟୂରଭଞ୍ଜ ଜିଲ୍ଲାରେ ରହିଛି । ଆଜି ସକାଳ ସାଢ଼େ ୮ଟାରୁ କାଲି ସକାଳ ସାଢ଼େ ୮ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି । ଏଥିପାଇଁ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ। ଆସନ୍ତକାଲି ବର୍ଷାର ମୁଖ୍ୟ ପ୍ରଭାବ ଦକ୍ଷିଣ-ପଶ୍ଚିମ ଓଡ଼ିଶା ଆଡ଼କୁ ସ୍ଥାନାନ୍ତର ହେବ । କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୧୨ ତାରିଖରେ ମଧ୍ଯ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ। ବୁଧବାର ଖୋର୍ଦ୍ଧାରେ ୧୮ମିମି, ଢେଙ୍କାନାଳରେ ୧୬.୪, ବାରିପଦାରେ ୧୪.୮, କେନ୍ଦୁଝରରେ ୮.୪ ଓ ଯାଜପୁରରେ ୬.୫ମିମି ବର୍ଷା ରେକର୍ଡ ହୋଇଛି ।

You might also like