ଲାଲକିଲ୍ଲା ବିସ୍ଫୋରଣ: ଉମର-ଉନ-ନବି ମାଷ୍ଟରମାଇଣ୍ଡ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ୧୦ ନଭେମ୍ବର ୨୦୨୫ରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ଏଜେନ୍ସି ଚାର୍ଜସିଟ୍ରେ ବଡ଼ ଖୁଲାସା କରିଛି। ଏନଆଇଏ ଅନୁସାରେ, ଏହା ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଥିଲା। ସେପ୍ଟେମ୍ବର ୯ରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ଉମର-ଉନ-ନବିଙ୍କୁ ଏହି ଆତଙ୍କୀ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ କରାଯାଇଛି।ଏନଆଇଏ ଚାର୍ଜସିଟ୍ରେ ଦର୍ଶାଯାଇଛି ଯେ, ଆକ୍ରମଣରେ ବ୍ୟବହୃତ କାର ଭିତରେ ନବି ଉପସ୍ଥିତ ଥିଲେ। ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ନବିଙ୍କୁ ‘ପିଣ୍ଡା’ ନାମରେ ମଧ୍ୟ ଡକାଯାଉଥିଲା।ଏନଆଇଏର ତଦନ୍ତରେ ଆହୁରି ଦାବି କରାଯାଇଛି ଯେ ନବି ଏବଂ ରାହୁଲ ଭଟ୍ ମିଶି ୨୦୨୨ର ପ୍ରାରମ୍ଭରୁ ନିଷ୍କ୍ରିୟ ହୋଇଥିବା ଅନସାର ଘଜୱାତ-ଉଲ-ହିନ୍ଦ (AGuH) ମଡ୍ୟୁଲ୍କୁ ପୁନଃ ସକ୍ରିୟ କରିବାକୁ ଉଦ୍ୟମ କରୁଥିଲେ। ତଦନ୍ତକାରୀ ଏଜେନ୍ସି ଏହି ମଡ୍ୟୁଲ୍କୁ ଭାରତୀୟ ଉପମହାଦେଶରେ ଅଲ୍-କାଏଦା ସହ ଜଡ଼ିତ ଏକ ପୁନର୍ଗଠିତ ନେଟୱର୍କ ବୋଲି ଦର୍ଶାଇଛି।ଚାର୍ଜସିଟ୍ରେ ‘ଲୋନ୍ ମୁଜାହିଦ୍ ପକେଟ୍ ବୁକ୍’ ନାମକ ଏକ ଦସ୍ତାବିଜର ମଧ୍ୟ ଉଲ୍ଲେଖ ରହିଛି। ଏନଆଇଏ ଅନୁସାରେ, ଏଥିରେ ଆତଙ୍କବାଦୀ ଆକ୍ରମଣ, ବିସ୍ଫୋରକ ଏବଂ ଗୁପ୍ତ ଅପରେସନ୍ ସମ୍ପର୍କିତ ସୂଚନା ଥିବା ଅଭିଯୋଗ ରହିଛି।
ଏହା ସହିତ ଅନ୍ୟ କେତେକ ପ୍ରଚାର ସାମଗ୍ରୀରେ ହିଂସାକୁ ଧାର୍ମିକ ରଙ୍ଗ ଦେବା ଏବଂ ‘ଗଜୱା-ଏ-ହିନ୍ଦ’ ନାମରେ ହିଂସାକୁ ସମର୍ଥନ କରାଯାଇଥିବା ଏନଆଇଏଦାବି କରିଛି।ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଏନଆଇଏ ଅନସାର ଗଜୱାତ-ଉଲ୍-ହିନ୍ଦ ମଡ୍ୟୁଲ୍ର କଥିତ ଭୂମିକା ଉପରେ ମଧ୍ୟ ତଦନ୍ତ କରୁଛି। ତେବେ ଚାର୍ଜଶିଟ୍ରେ ଥିବା ଅଭିଯୋଗ ଉପରେ ଅନ୍ତିମ ନିଷ୍ପତ୍ତି କୋର୍ଟର ଶୁଣାଣି ଓ ନ୍ୟାୟିକ ପ୍ରକ୍ରିୟା ପରେ ହିଁ ହେବ।