ଦୀର୍ଘ ଦିନ ଯାଏଁ ଶାସନରେ ରହି ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଶୁଭେଚ୍ଛା
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି । ମେଲୋନିଙ୍କ ନେତୃତ୍ଵରେ ମେଣ୍ଟ ସରକାରକୁ ପୂରିଲା ୧୪୧୩ ଦିନ । ୨୦୦୦ ଦଶକର ସିଲଭିଓ ବର୍ଲୁସ୍କୋନିଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅପେକ୍ଷା ଏହା ଗୋଟିଏ ଦିନ ଅଧିକ । ମେଲୋନିଙ୍କ ସରକାରର ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଏବେ ବି ପ୍ରାୟ ସାତ ସପ୍ତାହ ବାକି ଅଛି । ତେବେ ଇଟାଲୀ ରାଜନୀତିରେ ସରକାର ବଦଳିବା ସାଧାରଣ କଥା । ହେଲେ ମେଲୋନି ଏତେ ଦିନ ଧରି ଶାସନରେ ରହିବା ବଡ଼ ଉପଲବ୍ଧି । ଏହି ସଫଳତା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି X ରେ ପୋଷ୍ଟ କରି କହିଛନ୍ତି ଯେ, ଇଟାଲୀର ଯୁଦ୍ଧ ସମୟରେ ଇତିହାସରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବା ପାଇଁ ତାଙ୍କ ବନ୍ଧୁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ଅଭିନନ୍ଦନ । ଏହି ଉପଲବ୍ଧି ଇଟାଲୀବାସୀଙ୍କ ତାଙ୍କ ନେତୃତ୍ୱ ପ୍ରତି ଥିବା ବିଶ୍ୱାସ ଓ ଭରସାକୁ ପ୍ରତିଫଳିତ କରୁଛି ।ମେଲୋନି ଶୁକ୍ରବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ପୋଷ୍ଟ କରିଥିଲେ । ସେ ଲେଖିଛନ୍ତି ଯେ, ସରକାରରେ ଦୀର୍ଘ ଦିନ ଯାଏଁ ରହି ରେକର୍ଡ କରିବା କିଛି ବଡ଼ କଥା ନୁହେଁ । ଅଧିକ ଦିନ ଶାସନରେ ରହିବା ଦ୍ଵାରା ଦେଶ ପାଇଁ ବିକାଶମୂଳକ ଯୋଜନା କରିବା, ବଡ଼ ନିଷ୍ପତ୍ତି ନେବା, ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିବା ପାଇଁ ସମୟ ମିଳେ । ତାଙ୍କ ସରକାର ମଧ୍ୟ ଲୋକଙ୍କ ପାଇଁ ଅନେକ କାମ କରିଛନ୍ତି । ଆଗକୁ ଆହୁରି କାମ ବାକି ଅଛି ।