ମିଗ୍-୨୧ ଉଡ଼ାଇଥିଲେ, ଏବେ ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ
ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ତ୍ତମାନ ସାଧାରଣ ଯାତ୍ରୀବାହୀ ବିମାନ ଉଡ଼ାଇବେ । ବର୍ଷ ୨୦୧୯ରେ ପାକିସ୍ତାନ ସହିତ ହୋଇଥିବା ଆକାଶମାର୍ଗ ଯୁଦ୍ଧ ସମୟରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରିଥିବା ଏହି ବୀର ପାଇଲଟ୍, ଏବେ ଆଉ ଯୁଦ୍ଧ ବିମାନ ଉଡ଼ାଇବେ ନାହିଁ । ସୂଚନା ଅନୁଯାୟୀ, ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ତ୍ତମାନ ଗତ ଅଗଷ୍ଟ ମାସରେ ଗୋଆ ଭିତ୍ତିକ ଆଞ୍ଚଳିକ ବିମାନ ସେବା ‘FLY91’ ରେ ଜଣେ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି । ତେବେ ଏହି ନିଯୁକ୍ତିକୁ ନେଇ ଏୟାରଲାଇନ୍ସ କର୍ତ୍ତୃପକ୍ଷ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦେଇନାହାନ୍ତି । ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ, କର୍ମଚାରୀମାନଙ୍କର ବ୍ୟକ୍ତିଗତ ସୂଚନା ସେମାନଙ୍କର ଗୋପନୀୟ ମାମଲା ଏବଂ ଏହା ଉପରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ ।ଏହି ଆଞ୍ଚଳିକ ଏୟାରଲାଇନ୍ସଟି ମାର୍ଚ୍ଚ ୨୦୨୪ରେ ନିଜର ବିମାନ ସେବା ଆରମ୍ଭ କରିଥିଲା । ବର୍ତ୍ତମାନ ଏହି କମ୍ପାନୀର ବେଢ଼ାରେ ATR 72-600 ପ୍ରକାରର ୬ଟି ବିମାନ ରହିଛି । ଏହି ଏୟାରଲାଇନ୍ସର ମୁଖ୍ୟ ଦୁଇଟି କେନ୍ଦ୍ର ଗୋଆ ଏବଂ ହାଇଦ୍ରାବାଦରେ ରହିଛି । ଦେଶର ଆକାଶରେ ଫାଇଟର ଜେଟ୍ର ଗର୍ଜନ ତୋଳିଥିବା ଏହି ସାହସୀ ପାଇଲଟ୍ ଏବେ ଦେଶର ସାଧାରଣ ଯାତ୍ରୀମାନଙ୍କୁ ନେଇ ଆଞ୍ଚଳିକ ଗନ୍ତବ୍ୟସ୍ଥଳକୁ ସୁରକ୍ଷିତ ଭାବେ ପହଞ୍ଚାଇବାର ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ।