ପଦ ଛାଡ଼ିବାର ବର୍ଷେ ପରେ ବି ମିଳିନି ସରକାରୀ ବଙ୍ଗଳା

ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ଗୋଟିଏ ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ବାସଭବନ ମିଳିନାହିଁ। ସେ ଦିଲ୍ଲୀର ଛତରପୁରରେ ଥିବା ଭାରତୀୟ ଲୋକଦଳ(ଆଇଏନଏଲଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମହାଉସରେ ରହୁଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖର ୨୧ ଜୁଲାଇ ୨୦୨୫ରେ ଉପରାଷ୍ଟ୍ରପତି ପଦରୁ ହଠାତ୍ ଇସ୍ତଫା ଦେଇଥିଲେ।ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇ ନଥିବାବେଳେ, ଏହି ବିଷୟରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।ସରକାରୀ ନିୟମାନୁସାରେ, ଦେଶର ଜଣେ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଆଜୀବନ ମାଗଣା ସରକାରୀ ବାସଭବନ, ବିଜୁଳି ଓ ଜଳ ସେବା ପାଇବାର ଆଇନଗତ ଅଧିକାର ରହିଛି। ସେମାନଙ୍କୁ ଲୁଟିୟନ୍ସ ଦିଲ୍ଲୀର ସବୁଠାରୁ ଉଚ୍ଚଶ୍ରେଣୀୟ ‘ଟାଇପ୍-୮’ ସରକାରୀ ବଙ୍ଗଳା ଯୋଗାଇ ଦିଆଯାଏ। ଯଦି ସରକାରୀ ଆବାସ ଖାଲି ନଥାଏ, ତେବେ ଘରୋଇ ସଂସ୍ଥାରୁ ୨୦୦୦ ବର୍ଗଫୁଟର ଘର ଭଡ଼ାରେ ନେଇ ଯୋଗାଇଦେବାକୁ ସରକାର ବାଧ୍ୟ।ଏହାପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଅବସର ନେଇଥିବା ଏମ୍. ଭେଙ୍କିଆ ନାଇଡୁଙ୍କୁ କାର୍ଯ୍ୟକାଳ ଶେଷ ହେବାର ଅଳ୍ପ ଦିନ ମଧ୍ୟରେ ଦିଲ୍ଲୀର ତ୍ୟାଗରାଜ ମାର୍ଗସ୍ଥିତ ବିଶାଳ ବଙ୍ଗଳା ଆବଣ୍ଟନ କରାଯାଇଥିଲା। ଅନ୍ୟପଟେ, ଧନଖଡ଼ ପଦ ଛାଡ଼ିବା ପରେ ୨୦୨୫ ସେପ୍ଟେମ୍ବରରୁ ଅଭୟ ଚୌତାଲାଙ୍କ ଫାର୍ମହାଉସରେ ଅସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ। ତେବେ ବର୍ଷେ ପରେ ବି ସେ ସେଠାରେ ରହୁଥିବା ଜଣାପଡ଼ିଛି।

You might also like