ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଚୋରି କରିବା ନେଇ ୨ ଗିରଫ
ନେପାଳରେ ଆସିଥିବା ବିନାଶକାରୀ ବନ୍ୟାର ବିଭିନ୍ନ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ଏହି ଭିଡିଓରେ ବନ୍ୟା ଜଳରେ ଭାସି ଆସିଥିବା ମୃତଦେହରୁ ଅଳଙ୍କାର ଚୋରି ହେଉଥିବାର ଭାଇରଲ୍ ହେଉଛି । ଭିଡିଓ ଭାଇରଲ ହେବା ପରେ ନେପାଳ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ଲୋକଙ୍କୁ ଗିରଫ କରିଛି । ନେପାଳ ପୋଲିସ ହେଡକ୍ୱାର୍ଟର ପକ୍ଷରୁ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି ।ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସି ଆସିଥିବା ଏକ ମୃତଦେହ ନିକଟରେ ଦୁଇ ଯୁବକ ଥିବା ଦେଖାଯାଉଛନ୍ତି। ସେମାନେ ମୃତଦେହର କାନରୁ ସୁନା ଅଳଙ୍କାର ଚୋରି କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦାବି କରାଯାଇଛି।ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡ ଦାବି ହୋଇଥିଲା ।ସୂଚନାଯୋଗ୍ୟ, ନେପାଳରେ ବୁଧବାର ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୪୦୦କୁ ବୃଦ୍ଧି ପାଇଛି । ୧୪୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ନିଖୋଜମାନଙ୍କ ମଧ୍ୟରେ ୩୧ଟି ଦେଶର ୬୬୭ ରୁ ଅଧିକ ପର୍ଯ୍ୟଟକ ଓ ବିଦେଶୀ ନାଗରିକ ଅଛନ୍ତି । ଏଥିରେ ୨୯୦ ଜଣ ଭାରତୀୟ, ୬୫ ଜଣ ଆମେରିକୀୟ ଏବଂ ୩୩ ଜଣ ବ୍ରିଟେନର ନାଗରିକ ସାମିଲ ଅଛନ୍ତି । ପାହାଡ଼ରୁ ପ୍ରଚୁର କାଦୁଅ, ପଥର ଓ ବରଫ ନଦୀରେ ମିଶି ଏହି ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି କରିଛି । ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀ କୂଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ।