ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ: ସୌମ୍ୟାଶ୍ରୀଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଦେବେ
ରାଜ୍ୟ କାହାଣୀ (ଭୁବନେଶ୍ୱର )ବ୍ୟବସ୍ଥାର ଅତ୍ୟାଚାରକୁ ସହିନପାରି ଆତ୍ମହତ୍ୟା କରିଥିବା ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସୌମ୍ୟାଶ୍ରୀଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଦେବେ । ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି । ଟୁଇଟ୍ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।