ରାସ୍ତାରେ ଭିକ ମାଗୁଥିଲେ ବୃଦ୍ଧା, ମୃତ୍ୟୁ ପରେ ଘରୁ ମିଳିଲା ୮ ଲକ୍ଷରୁ ଅଧିକ ଟଙ୍କା
କର୍ଣ୍ଣାଟକର ମାଣ୍ଡ୍ୟାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର। ଜୀବନସାରା ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ୬୮ ବର୍ଷୀୟ ମହିଳାଙ୍କ ଘରୁ ମୃତ୍ୟୁ ପରେ ମିଳିଛି ୮ ଲକ୍ଷ ୪୦ ହଜାର ଟଙ୍କା। ଖବର ମୁତାବକ, ମାଣ୍ଡ୍ୟାର ଗୁଥାଲୁ ରୋଡ୍ ସ୍ଥିତ ଶବ୍ଦାରିଆବାଦ ମହଲ୍ଲାର ବାସିନ୍ଦା ୬୯ ବର୍ଷୀୟା ନୁରୁନ୍ନିସା ଦୀର୍ଘ ବର୍ଷ ଧରି ସହରର ବିଭିନ୍ନ ଛକ ଓ ଟ୍ରାଫିକ୍ ସିଗନାଲରେ ଭିକ ମାଗୁଥିଲେ । ସେହି ଅଞ୍ଚଳରେ ଥିବା ଏକ ଛୋଟ ଘରେ ଏକୁଟିଆ ରହୁଥିଲେ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଥିଲା । ପଡ଼ୋଶୀ ଏବଂ କିଛି ସମ୍ପର୍କୀୟ ଏକାଠି ହୋଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଶେଷକୃତ୍ୟ ପରେ ସ୍ଥାନୀୟ ଲୋକେ ଏବଂ ତାଙ୍କ ସମ୍ପର୍କୀୟମାନେ ଯେତେବେଳେ ଘର ଭିତର ସଫା କରିବା ଆରମ୍ଭ କଲେ, ସେତେବେଳେ ସେମାନଙ୍କ ଆଖି ଖୋସି ହୋଇଯାଇଥିଲା ।
ଘର ଭିତରେ ଏଣେତେଣେ ରଖାଯାଇଥିବା ଅନେକ ପ୍ଲାଷ୍ଟିକ୍ ବସ୍ତା ଏବଂ ଝୁଲା ଭିତରୁ ବିଡ଼ା ବିଡ଼ା ଟଙ୍କା ମିଳିଥିଲା । ସେଥିରେ ଅଧିକାଂଶ ୧୦, ୨୦ ଏବଂ ୫୦ ଟଙ୍କିଆ ନୋଟ୍ ର ବଣ୍ଡଲ ସହିତ ବିପୁଳ ପରିମାଣର ଖୁଚୁରା ମୁଦ୍ରା ଗଚ୍ଛିତ ଥିଲା । ବଡ଼ ବଡ଼ ବସ୍ତାରେ ଫୁଲ୍ ହୋଇ ରହିଥିଲା କଏନ । ଶେଷରେ ଟଙ୍କା ଗଣିବା ପାଇଁ ନୋଟ୍ ଗଣନା ମେସିନ୍ ମଗାଇବାକୁ ପଡ଼ିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତି ଅନୁଯାୟୀ ପ୍ରାୟ ୮ଲକ୍ଷ ଟଙ୍କା ମିଳିଛି । ହେଲେ ଏହା ୩୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଘରୁ ବସ୍ତା ବସ୍ତା ନୋଟ୍ ବାହାରିବା ଏବଂ ମେସିନ୍ ସାହାଯ୍ୟରେ ଟଙ୍କା ଗଣାଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।ଜୀବନର ସାରା ସମୟ ଅଳ୍ପ ଅଳ୍ପ କରି ସଞ୍ଚୟ କରିଥିବା ଏହି ଟଙ୍କା ଶେଷରେ ମହିଳାଙ୍କ ଜୀବନରେ କୌଣସି ସୁଖ ଆଣିପାରିଲା ନାହିଁ। ତାଙ୍କ ମୃତ୍ୟୁ ପରେ ଘରୁ ବାହାରିଥିବା ଏହି ବିପୁଳ ଟଙ୍କାର ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।