ଗୁଗୁଲ୍‌ ମ୍ୟାପ୍‌ରେ କୋଟିଆ ସୀମାର ଭୁଲ୍‌ ଚିତ୍ରଣ

ଭୁବନେଶ୍ୱର (ରାଜ୍ୟ କାହାଣୀ )କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍‌ରେ ଭୁଲ ଭାବେ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଛି। ଡିଜିଟାଲ ମାନଚିତ୍ରରେ କୋଟିଆର ପ୍ରଶାସନିକ ସୀମା ଓ ପରିଚୟ ସଠିକ୍‌ ଭାବେ ପ୍ରତିଫଳିତ କରିବା ପାଇଁ ରାଜ୍ୟ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। କୋଟିଆର ଭୁଲ ଚିତ୍ରଣ ନେଇ ପ୍ରଥମେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ଗୁଗୁଲ୍ ଇଣ୍ଡିଆ ଓ ଗୁଗୁଲ ଏଲ୍ଏଲ୍‌ସିଙ୍କ ନିକଟରେ ଆପତ୍ତି ଜଣାଇଥିଲା । ସୀମା ସଂଶୋଧନ ଲାଗି ଦାବି କରିଥିଲା । ପରେ ମହାମଞ୍ଚ ପକ୍ଷରୁ କେନ୍ଦ୍ର ସରକାରଙ୍କ ସର୍ଭେୟର ଜେନେରାଲଙ୍କୁ ହସ୍ତକ୍ଷେପ ପାଇଁ ଦାବିପତ୍ର ଦିଆଯାଇଛି । ଉତ୍ତରରେ ନ୍ୟାସନାଲ ଇନ୍‌ଫରମେଟିକ୍ସ ସେଣ୍ଟରର ଡେପୁଟି ଡାଇରେକ୍ଟର ଜେନେରାଲ ଏସ୍. ପି କାର୍ତ୍ତିକେୟନ୍ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସର୍ଭେ ଅଫ୍ ଇଣ୍ଡିଆ ହିଁ ଦେଶର ଅଧିକୃତ ପ୍ରଶାସନିକ ଓ ଭୂଖଣ୍ଡୀୟ ସୀମା ସମ୍ବନ୍ଧୀୟ ତଥ୍ୟର ପ୍ରମାଣୀକରଣ ପାଇଁ ଦାୟୀ । ଏନ୍ଆଇସି ନିଜେ ବାଣିଜ୍ୟିକ ମ୍ୟାପିଂ ପ୍ଲାଟଫର୍ମରେ ସଂଶୋଧନ କରିବାର କ୍ଷମତାଧିକାରୀ ନୁହଁ ।

ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ଗୌରଚନ୍ଦ୍ର ତ୍ରିପାଠୀ କହିଛନ୍ତି, ଆଜି ଡିଜିଟାଲ ମାନଚିତ୍ରରେ ଭୁଲ୍‌ରେ ଦର୍ଶାଯାଇଥିବା ଏକ ସୀମା ଆସନ୍ତାକାଲି ଭ୍ରାନ୍ତିପୂର୍ଣ୍ଣ ଭୂଖଣ୍ଡୀୟ ଧାରଣାର ରୂପ ନେଇପାରେ । ତେଣୁ କୋଟିଆ ପରିଚୟକୁ କେବଳ ଭୂମିରେ ନୁହେଁ, ପ୍ରତ୍ୟେକ ଡିଜିଟାଲ ମାନଚିତ୍ରରେ ମଧ୍ୟ ସୁରକ୍ଷିତ ରଖିବା ଆବଶ୍ୟକ ।

You might also like