ମହାନଦୀ ଜଳ ବିବାଦ ନେଇ ଚାଲିଛି ବୈଷୟିକ ତର୍ଜମା !ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି । ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳ ବିବାଦର ବୈଷୟିକ ଦିଗ ଉପରେ ଆଲୋଚନା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ବୈଷୟିକ ଟିମ୍ ଗଠନ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ କୁ ନେଇ ନୂଆଦିଲ୍ଲୀରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି। ସେପ୍ଟେମ୍ବର ୧୭ରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି । ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦ ସମାଧାନ ହୋଇଯିବ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ସକରାତ୍ମକ ଚିନ୍ତାଧାରା ଯୋଗୁଁ ଆଜି ଆମେ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବାରେ ସଫଳ ହୋଇଛୁ । ଏନେଇ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।ଦୀର୍ଘଦିନର ମହାନଦୀ ବିବାଦରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ବିଶେଷକରି CWCର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ବୈଷୟିକ ଅଧିକାରୀମାନେ ଗୋଟିଏ ଟେବୁଲରେ ବସି ବିବାଦୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଆରମ୍ଭ କରିବା ଦ୍ୱାରା ସମାଧାନ ପ୍ରକ୍ରିୟା ଆଗକୁ ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି।ମାମଲାରେ ଆଗକୁ ବୈଷୟିକ ଟିମ୍ ର ଆଲୋଚନା କେତେଦୂର ଅଗ୍ରସର ହେଉଛି ଏବଂ ଦୁଇ ରାଜ୍ୟ କେଉଁ କେଉଁ ପ୍ରସଙ୍ଗରେ ସହମତିରେ ପହଞ୍ଚୁଛନ୍ତି, ତାହା ଉପରେ ନଜର ରହିବ।

You might also like