ମନଇଚ୍ଛା ନେଇପାରିବେନି SIM! ୨୪ରୁ ସରକାରଙ୍କ କଡ଼ା ଆକ୍ସନ୍‌

ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନଙ୍କ ଗ୍ରାହକମାନେ ଯେପରି ନିଜ ନାମରେ ସ୍ଥିରୀକୃତ ସୀମାରୁ ଅଧିକ ସିମ୍ କାର୍ଡ ନ ପାଆନ୍ତି। ଏନେଇ ଅଗଷ୍ଟ ୧୭ରେ ଟେଲିକମ୍‌ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ମୋବାଇଲ୍‌ କନେକ୍ସନ୍‌ ରହିପାରିବ। ଏହି ସୀମା ସମସ୍ତ ଟେଲିକମ୍‌ ଅପରେଟର୍‌ ଏବଂ ଟେଲିକମ୍‌ ସର୍କଲ୍‌କୁ ମିଶାଇ ଲାଗୁ ହେବ । କିନ୍ତୁ ଜମ୍ମୁ-କଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର କିଛି ରାଜ୍ୟରେ ଏହି ସୀମା ୬ଟି କନେକ୍ସନ୍‌ । ଅର୍ଥାତ୍‌, ଆପଣଙ୍କ ନାଁରେ ଗୋଟିଏ କମ୍ପାନୀର ୫ଟି ଏବଂ ଅନ୍ୟ କମ୍ପାନୀର ୪ଟି ସିମ୍‌ ଥିଲେ ମଧ୍ୟ ମୋଟ ସଂଖ୍ୟା ୯ ଭାବେ ଗଣାଯିବ ।ଆପଣ ନୂଆ ସିମ୍‌ ନେବାକୁ ଗଲେ ଟେଲିକମ୍‌ କମ୍ପାନୀ ଯାଞ୍ଚ କରିବ ଯେ, ଆପଣଙ୍କ ନାଁରେ ପୂର୍ବରୁ କେତୋଟି ମୋବାଇଲ୍‌ ନମ୍ବର ରହିଛି । ଏଥିପାଇଁ DoTର Digital Intelligence Platform ବା DIP ବ୍ୟବହାର କରାଯିବ । ବିଭିନ୍ନ ଟେଲିକମ୍‌ କମ୍ପାନୀର ଗ୍ରାହକଙ୍କ ତଥ୍ୟକୁ ଏହି ପ୍ଲାଟଫର୍ମ ମାଧ୍ୟମରେ ଯାଞ୍ଚ କରାଯିବ ।ଏହାଦ୍ୱାରା କୌଣସି ଗ୍ରାହକ ସ୍ଥିରୀକୃତ ସୀମା ଅତିକ୍ରମ କରିଛନ୍ତି କି ନାହିଁ ତାହା ଜଣାପଡ଼ିବ। ଏହି ପ୍ଲାଟଫର୍ମ ଭିନ୍ନ ଭିନ୍ନ ଟେଲିକମ୍ କମ୍ପାନୀଗୁଡ଼ିକରୁ ମିଳିଥିବା ଗ୍ରାହକଙ୍କ ସୂଚନାକୁ ଏକାଠି କରିଥାଏ। ଅଗଷ୍ଟ ୨୩ ରୁ, DIP ରେ ସିମ୍‌ର ନିର୍ଦ୍ଧାରିତ ସୀମା ପୂରଣ କରିସାରିଥିବା ଗ୍ରାହକମାନଙ୍କର ଏକ ଫଟୋ ମଧ୍ୟ ଦେଖାଯିବ। ଏହାଦ୍ୱାରା ଅପରେଟରମାନଙ୍କୁ ଗ୍ରାହକଙ୍କୁ ଚିହ୍ନଟ କରିବାର ଆଉ ଏକ ମାଧ୍ୟମ ମିଳିବ। ଟେଲିକମ୍ କମ୍ପାନୀଗୁଡ଼ିକୁ ଆବଶ୍ୟକୀୟ ଏକତ୍ରୀକରଣ (integration) ସମ୍ପୂର୍ଣ୍ଣ କରି ନିଜ ସିଷ୍ଟମ୍‌କୁ ଏହି ପ୍ଲାଟଫର୍ମ ସହ ଯୋଡ଼ିବା ପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି।ତେବେ ସରକାରଙ୍କ ଲକ୍ଷ୍ୟ ହେଉଛି, ଜଣେ ବ୍ୟକ୍ତିଙ୍କ ନାଁରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ସିମ୍‌ ନ ରହିବା ଏବଂ ମୋବାଇଲ୍‌ କନେକ୍ସନ୍‌ର ଅପବ୍ୟବହାରକୁ ରୋକିବା ।

You might also like