ଚିନି ଦର ବଢ଼ିବାରୁ ବଢ଼ିଲା ଚିନ୍ତା, ସରକାର ଲାଗୁ କଲେ ନୂଆ ନିୟମ
ଭାରତୀୟ ଖାଦ୍ୟରେ ଚିନିର ଗୁରୁତ୍ୱ ଅଧିକ। ସକାଳର ଚା’ଠାରୁ ଆରମ୍ଭ କରି ମିଠା, ପିଠାପଣା ଓ ବିଭିନ୍ନ ଖାଦ୍ୟରେ ଚିନିର ବ୍ୟବହାର ହୋଇଥାଏ । ତେବେ ଚିନିର ଦର ବୃଦ୍ଧି ଓ ଆଗାମୀ ପାର୍ବଣ ଋତୁରେ ଚାହିଦା ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ଷ୍ଟକ୍ ନିୟମକୁ କଡ଼ା କରିଛନ୍ତି । ନୂଆ ନିୟମ ଅନୁଯାୟୀ, ମାସକୁ ୧୦ ମେଟ୍ରିକ୍ ଟନ୍ରୁ ଅଧିକ ଚିନି ବ୍ୟବସାୟ କରୁଥିବା ଡିଲରମାନେ ୧୫ ଦିନରୁ ଅଧିକ ଷ୍ଟକ୍ ରଖିପାରିବେ ନାହିଁ।ନୂଆ ନିୟମ ସେପ୍ଟେମ୍ବର ୧ରୁ ଲାଗୁ ହେବ ଏବଂ ନଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ବଜାରରେ ଚିନିର ଉପଲବ୍ଧତା ବଢ଼ାଇବା ଏବଂ ଦର ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି।ସରକାର ଗତ ମାସରେ ହିଁ ବ୍ୟବସାୟୀମାନଙ୍କ ପାଇଁ ଚିନି ମହଜୁଦ ରଖିବାର ସୀମା ୩୦ ଦିନକୁ ହ୍ରାସ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ଚିନିର ଦର ବୃଦ୍ଧି ଜାରି ରହିଥିଲା। ଏବେ ସରକାର ଏହି ସମୟସୀମାକୁ ଆହୁରି କମାଇ ମାତ୍ର ୧୫ ଦିନ କରିଛନ୍ତି। ଏହି ନିୟମ ଥୋକ ବ୍ୟବସାୟୀ ଏବଂ ବଡ଼ କ୍ରେତାମାନଙ୍କ ପାଖରେ ଆବଶ୍ୟକତାଠାରୁ ଅଧିକ ଚିନି ମହଜୁଦ ହେବାକୁ ରୋକିବାରେ ସହାୟକ ହୋଇପାରେ।ପାର୍ବଣ ଋତୁରେ ଚିନିର ଯୋଗାଣ ସ୍ୱାଭାବିକ ରଖିବା ସହ ଦର ନିୟନ୍ତ୍ରଣରେ ରଖିବା ସରକାରଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ । ଏଥିପାଇଁ ଖାଦ୍ୟ ମନ୍ତ୍ରଣାଳୟ ଚିନିର ଷ୍ଟକ୍ ଓ ଉପଲବ୍ଧତା ଉପରେ ନଜର ରଖିଛି। ଚିନି ମିଲ୍ଗୁଡ଼ିକୁ ଅନଲାଇନ୍ ଫର୍ମ ଓ ଯାଞ୍ଚ ହୋଇଥିବା ଇମେଲ୍ ମାଧ୍ୟମରେ ବିକ୍ରି ଓ ଉଠାଣ ସମ୍ପର୍କିତ ସଠିକ୍ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ଦେଶର ଚିନି ଷ୍ଟକ୍ ଓ ଯୋଗାଣର ପ୍ରକୃତ ସ୍ଥିତି ସମ୍ପର୍କରେ ସରକାରଙ୍କୁ ସ୍ପଷ୍ଟ ଚିତ୍ର ମିଳିବ ।