ଏମଏମଡିଆର ସଂଶୋଧିତ ବିଲକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏମଏମଡିଆର ସଂଶୋଧିତ ବିଲକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ବିଲ୍ ସଂସଦରେ ପାରିତ ହୋଇଛି । ଏହା ଓଡ଼ିଶାର ଅର୍ଥନୀତିକୁ ବିପଦକୁ ଠେଲିଛି । ଆଗକୁ ଓଡ଼ିଶା କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ବାଧ୍ୟ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ତେବେ ଓଡ଼ିଶା ମାଟି ଓ ଖଣି ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ନବୀନ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି । ଲଢ଼େଇରେ ସାମିଲ ହେବାକୁ ନବୀନ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।2000 ମସିହାରେ ଓଡ଼ିଶା ଶାସନ ଦାୟିତ୍ୱ ବିଜେଡି ନେଲା ବେଳେ ରାଜ୍ୟର ଅର୍ଥନୀତି ବହୁତ ଖରାପ ଅବସ୍ଥାରେ ଥିଲା । ନବୀନ ସରକାରଙ୍କୁ ଅତିରିକ୍ତ ଟଙ୍କା ଉଠାଣ ଉପରେ ନିର୍ଭର କରିବାକୁ ପଡୁଥିଲା । 2024 ମସିହାରେ ସରକାର ପରିବର୍ତ୍ତନ ବେଳେ 50 ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ବିଜେଡି ଛାଡିଥିଲା । ବିଜେଡି ସରକାରର ସୁଦୃଢ ଆର୍ଥିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇ ପାରିଥିଲା । ରାଜସ୍ୱ ବଳକା ରାଜ୍ୟ ସହ ତ୍ୱରିତ ପ୍ରଗତି ବିଜେଡି ସରକାର ଆଣିଥିଲେ । ରାଜ୍ୟରେ ଗରିବୀ କମିଥିଲା । ଭିତ୍ତିଭୂମିର ବିକାଶ ହୋଇଥିଲା । ଅନେକ ଜନ କଲ୍ୟାଣ କାମ ବିଜେଡି କରିଥିଲା । ଏହି ଦ୍ରୁତ ବିକାଶରେ ଖଣିଜ ରାଜସ୍ୱ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।ନବୀନ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ଓଡିଶାର ଅର୍ଥନୀତି ବିପଦରେ ପଡିଛି । ନିକଟରେ କେନ୍ଦ୍ର ସରକାର ପାର୍ଲିଆମେଣ୍ଟରେ Mines and minerals Development and Regulation Act ର ସଂଶୋଧନ ବିଲ ପାସ ହୋଇଛି । ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କର ବହୁତ କ୍ଷତି କରିବାକୁ ଯାଉଛି । ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଲ କିନ୍ତୁ ବିନା ଆଲୋଚନାରେ କେନ୍ଦ୍ର ସରକାର ପାରିତ କରିଦେଲେ । ରାଜ୍ୟସଭାରେ କେବଳ ବିଜେଡି ସାଂସଦ ଏହାକୁ ବିରୋଧ କରିଥିଲେ । ଏହି ବିଲକୁ ବିରୋଧ କରି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ସର୍ବଦଳୀୟ ବୈଠକ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ । ପାର୍ଟି ନୁହେଁ ମାଟିର ସ୍ୱାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡିବ ।

You might also like