ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶା ନୂତନ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ଚୟନ ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଡିଜିପି ଚୟନ ବେଳେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କର ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଦାୟର ହୋଇଛି ପିଆଇଏଲ । ଗତ ୧୩ ତାରିଖରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ରାଜ୍ୟରେ ଡିଜିପି ଚୟନ ପ୍ରକ୍ରିୟା ଉପରେ ବ୍ରେକ ଲଗାଇଥିଲେ । ବିଶେଷ କରି ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଡିଜିପି ଚୟନ ହେଉଛି କି ନାହିଁ , ସେନେଇ ପ୍ରଶ୍ନ ଉଠିଛି ।ସୂଚନାଯୋଗ୍ୟ ଯେ ଓ୍ବାଇ. ବି. ଖୁରାନିଆ ଡିଜିପି ପଦରୁ ଅବସର ନେଇଥିବା ସତ୍ତ୍ୱେ ସୁପ୍ରିମକୋର୍ଟରେ ମାମଲା ଥିବା କାରଣରୁ ଓଡ଼ିଶାରେ ସ୍ଥାୟୀ ଡିଜିପି ନିଯୁକ୍ତି ହୋଇ ପାରି ନାହାନ୍ତି। ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜିପି ଭାବେ ଦାଯିତ୍ୱ ଦିଆଯାଇଛି।