ଭିଜିଲାନ୍ସ ହାତରେ ୮ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଝରାପାଲି RI
ଭୁବନେଶ୍ୱର (ରାଜ୍ୟ କାହାଣୀ )ମାଲକାନଗିରି ଜିଲ୍ଲା ଝାରପଲ୍ଲୀ ସର୍କଲ୍ର ଆର୍ଆଇ ସୂରଯ ବାଲା ଜଣେ ଆବେଦନକାରୀଙ୍କୁ ଅନୁସୂଚିତ ଜାତି ପ୍ରମାଣ ପତ୍ର ନିମନ୍ତେ ସୁହାଇବା ଭଳି ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ୮ହଜାର ଟଙ୍କା ଓ କାମ ହେବା ପରେ ୨ ହଜାର ଟଙ୍କା ଦେବାକୁ କହିଥିଲେ। ଆବେଦନକାରୀଙ୍କ ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲେ। ଆଜି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ଜଣାପଡ଼ିଛି। ସୁରଜବାଲାଙ୍କ ଘର ଏମଭି-୪୫ ଗ୍ରାମରେ ବୋଲି ସୂଚନା ମିଳିଛି। ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଭିଜିଲାନ୍ସ ମାମଲା ରହିଛି। ମୋଟୁ ତହସିଲ ଅଞ୍ଚଳରେ ଜମି ବିବାଦ ମାମଲାରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସେ ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡ଼ି ସସ୍ପେଣ୍ଡ ହୋଇଥିଲେ। ପରେ କିଛି ମାସ ତଳେ ସେ ପୁଣି ଝରାପାଲି ପଞ୍ଚାୟତରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ପୁଣି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।