ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ଚମ୍ପତ ରାୟ ଓ ଅନିଲ ମିଶ୍ରାଙ୍କୁ SITର କ୍ଲିନ୍ ଚିଟ୍ !

ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲାରେ ଏସଆଇଟି ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିଛି SIT । ଉଭୟଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ସତ୍ୟ ବୋଲି ପ୍ରମାଣିତ ହୋଇନାହିଁ ।ଦାନ ଚୋରି ଅଭିଯୋଗ ଆସିବା ପରେ ଚମ୍ପତ ଏବଂ ଅନିଲ ଉଭୟ ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ଟ୍ରଷ୍ଟରୁ ଜୁନ୍ ୨୭ ତାରିଖରେ ଇସ୍ତଫା ଦେଇଥିଲେ। ଉତ୍ତର ପ୍ରଦେଶ ଗୃହ ବିଭାଗ ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦଳର ଚୂଡ଼ାନ୍ତ ରିପୋର୍ଟ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ହସ୍ତାନ୍ତର କରିଛି।

ସୂତ୍ର ଅନୁଯାୟୀ, ପଚରାଉଚରା ସମୟରେ ଚମ୍ପତ ରାୟ ମନ୍ଦିରରେ ଦାନ ଚୋରିରେ କୌଣସି ଭୂମିକାକୁ ଅସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଅଭିଯୋଗ ଆଧାରରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଥିଲା। ସୂତ୍ର ଅନୁଯାୟୀ, ଚମ୍ପତ ପୁଲିସକୁ ଏହା ମଧ୍ୟ କହିଥିଲେ ଯେ ଦାନ ସଂଗ୍ରହରେ କୌଣସି ଅନିୟମିତତା ନହେବା ନିଶ୍ଚିତ କରିବା ତାଙ୍କର ଦାୟିତ୍ୱ ଏବଂ ଭୁଲ୍ ବିଷୟରେ ଜାଣିବା ମାତ୍ରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।ଏସଆଇଟିର ଏହି ଚୂଡ଼ାନ୍ତ ରିପୋର୍ଟରେ କେବଳ ସେହି ୮ ଜଣ ବ୍ୟକ୍ତିଙ୍କ ନାମ ରହିଛି, ଯାହାଙ୍କୁ ପୂର୍ବରୁ ପୁଲିସ ତଦନ୍ତ ସମୟରେ ଗିରଫ କରିଥିଲା । ତଦନ୍ତ ଏଜେନ୍ସି ଏହି ଗିରଫ ଅଭିଯୁକ୍ତମାନଙ୍କୁ ହିଁ ଏହି ସମଗ୍ର ମାମଲାର ମୁଖ୍ୟ ଦାୟୀ ବୋଲି ଦର୍ଶାଇଛି । ଯଦିଓ ଏସଆଇଟି ରିପୋର୍ଟରେ କୌଣସି ବଡ଼ ପଦାଧିକାରୀଙ୍କ ସିଧାସଳଖ ଅପରାଧିକ ସମ୍ପୃକ୍ତି ମିଳି ନାହିଁ, ତଥାପି ପ୍ରଶାସନିକ ସ୍ତରରେ କିଛି ତ୍ରୁଟି ଥିବା କଥା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁଯାୟୀ, ଦାନ ଗଣତି ସମୟରେ ବ୍ୟାଙ୍କ ଏବଂ ଟ୍ରଷ୍ଟ ମଧ୍ୟରେ ସମନ୍ୱୟ ଏବଂ ତଦାରଖ ବ୍ୟବସ୍ଥାରେ କିଛି ଦୁର୍ବଳତା ଓ ପ୍ରକ୍ରିୟାଗତ ତ୍ରୁଟି ଦେଖିବାକୁ ମିଳିଥିଲା । ଏହି ତ୍ରୁଟିଗୁଡ଼ିକ ସାମ୍ନାକୁ ଆସିବା ପରେ ଟ୍ରଷ୍ଟ ଏବଂ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସେମାନଙ୍କର ପ୍ରଶାସନିକ ଏବଂ ଆର୍ଥିକ ତଦାରଖ ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଅଧିକ କଡ଼ାକଡ଼ି ଏବଂ ସ୍ୱଚ୍ଛ କରାଯାଉଛି ।

You might also like