୧୪ ମୁଖ୍ୟମନ୍ତ୍ରୀ, ୪୦୦୦ ସାଂସଦ-ବିଧାୟକଙ୍କ ବିରୋଧରେ ରହିଛି କ୍ରିମିନାଲ କେସ୍, ସୁପ୍ରିମକୋର୍ଟକୁ ପହଞ୍ଚିଲା ମାମଲା

ଦେଶର ରାଜନୀତି ସମ୍ପର୍କିତ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛି। ବରିଷ୍ଠ ଆଇନଜୀବୀ ବିଜୟ ହଂସରିଆ ଅଦାଲତରେ ଉକ୍ତ ସତ୍ୟପାଠ ଦାଖଲ କରିଛନ୍ତି। ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାଗୁଡ଼ିକର ଶୀଘ୍ର ଫଇସଲା ନିମନ୍ତେ ନିବେଦନ କରି ସର୍ବୋଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିବାବେଳେ ଏଥିରେ ସହାୟତା ପାଇଁ ହଂସରିଆଙ୍କୁ ଆମିକସ୍‌ କ୍ୟୁରି ନିଯୁକ୍ତ କରାଯାଇଥିଲା। ଦେଶର ମୋଟ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ୪,୦୦୦ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଥିବା ସେ ଦର୍ଶାଇଛନ୍ତି। ୨୮ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୪ ଜଣଙ୍କ ବିରୋଧରେ ଆପରାଧିକ ମାମଲା ଥିବାବେଳେ ଜଣଙ୍କ ବିରୋଧରେ ଗମ୍ଭୀର ଆପରାଧିକ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଯାଇଛି।ରିପୋର୍ଟରେ ଏହା ବି କୁହାଯାଇଛି ଯେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ମନିଟରିଂ ସତ୍ୱେ ୨୦୧୮ ମସିହାରୁ ବିଚାରାଧୀନ ମାମଲାର ବୋଝ କାୟମ ରହିଛି।

ରିପୋର୍ଟରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପର୍କିତ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଦେଶର ୨୮ ରାଜ୍ୟରୁ ୧୪ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଏଥିରୁ କିଛି ମାମଲା ଗୁରୁତର ଅପରାଧର ମଧ୍ୟ ରହିଛି। ରିପୋର୍ଟ ଅନୁସାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀଙ୍କ ବିରୋଧରେ ସବୁଠୁ ଅଧିକ ୮୯ଟି ମାମଲା ଥିବା ସେ ଘୋଷଣା କରିଛନ୍ତି। ଏହା ପଛକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ୨୯ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ବିରୋଧରେ ୧୯ଟି ମାମଲା ଥିବା ସେ ନିର୍ବାଚନୀ ସତ୍ୟପାଠରେ ଘୋଷଣା କରିଛନ୍ତି।ରିପୋର୍ଟ ଅନୁଯାୟୀ ଲୋକ ସଭାର ୨୫୧ ସଦସ୍ୟଙ୍କ ବିରୋଧରେ ଆପରାଧିକ ମାମଲା ଥିବାବେଳେ ସେଥିରୁ ୧୭୦ଟି ଗମ୍ଭୀର ମାମଲା ଯେଉଁଥିରେ ୫ ବର୍ଷ କିମ୍ବା ଅଧିକ ଜେଲଦଣ୍ଡ ବ୍ୟବସ୍ଥା ରହିଚି। ସେହିପରି ରାଜ୍ୟ ସଭାର ୭୫ ସଦସ୍ୟଙ୍କ ବିରୋଧରେ ଆପରାଧିକ ମାମଲା ଥିବାବେଳେ ସେଥିରୁ ୪୦ଟି ଗମ୍ଭୀର ମାମଲା ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌)ରେ ପ୍ରକାଶିତ ରିପୋର୍ଟକୁ ଦର୍ଶାଇ ସତ୍ୟପାଠରେ କୁହାଯାଇଛି।

You might also like