ବଙ୍ଗୋପସାଗରରେ ଅବପାତ, ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା
ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳରେ ଅବପାତ । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ୩ଦିନ ଯାଏ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ଭୀଷଣ ବର୍ଷା ପାଇଁ ସୁନ୍ଦଗରଡ଼ ଓ କେନ୍ଦୁଝର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷିଛି। ବାରିପଦାରେ ୨୧୫.୨ ମିଲିମିଟର,ବାଲେଶ୍ବରରେ ୧୬୯.୪ ମିମି ଓ ରାଉରକେଲାରେ ୯୬.୮ ମିମି ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶିମିଳିପାଳ ପର୍ବତମାଳାରେ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଛି।ସମୁଦ୍ର ଅଶାନ୍ତ ରହିଥିବାରୁ ୧୫ ଯାଏ ମତ୍ସ୍ୟଜୀବୀଙ୍କୁ ବଙ୍ଗୋପସାଗରକୁ ବାରଣ କରାଯାଇଛି । ୯୦୦ ମିମି ଅତିକ୍ରମ କଲା ମୌସୁମୀ ବର୍ଷା। ଚଳିତ ବର୍ଷ ଜୁନ ୧ରୁ ୧୩ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୯୦୧.୮ମିମି ବର୍ଷା ରେକର୍ଡ ହୋଇଛି ଯାହାକି ସ୍ୱାଭାବିକ ବୃଷ୍ଟିପାତ ୭୧୩.୩ ମିମି ତୁଳନାରେ ୨୬ ପ୍ରତିଶତ ଅଧିକ ରହିଛି।