ଏରୋପ୍ଲେନ ଭିତରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପୁରୀବାସୀ ଏବଂ ପର୍ଯ୍ୟଟକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଉଡ଼ାଜାହାଜ ଭିତରେ ବସି ମନ ପସନ୍ଦର ଖାଦ୍ୟ ଖାଇବାର ସ୍ୱପ୍ନ ଏବେ ହେବ ସତ । ପୁରୀରେ ଖୁବ୍‌ଶୀଘ୍ର ଖୋଲିବ ଏକ ନିଆରା ରେସ୍ତୋରାଁ ଯାହା ବାହାରୁ ଓ ଭିତରୁ ଦେଖିବାକୁ ଅବିକଳ ଉଡ଼ାଜାହାଜ ଭଳି । ପୁରୀ ସାତପଡ଼ା ରାସ୍ତାରେ ଆସନ୍ତା ତିନି ମାସ ମଧ୍ୟରେ ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏନେଇ ପୁରୀକୁ ଆସିଛି ଏକ ବିମାନର ଅଂଶବିଶେଷ । ଆଉ ସେଥିରେ ମୋନିଜି ଏଣ୍ଟରପ୍ରାଇଜେସ୍ ଲେଖା ରହିଛି । ଏହି ଏରୋପ୍ଲେନକୁ ଦେଖିବା ସହିତ ଲୋକମାନେ ନିଜ ମୋବାଇଲ ଫୋନରେ ଫଟୋ ଏବଂ ଭିଡିଓ ଉତ୍ତୋଳନ ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି ।କମ୍ପାନୀର ନିର୍ଦ୍ଦେଶକ ଯଶବିନ୍ଦର ସିଂହ କହିଛନ୍ତି, ଆମ କମ୍ପାନି ପୁରୁଣା ବିମାନ ଏୟାରଲାଇନ୍ସ ନିକଟରୁ କିଣି ଏହାକୁ ରେସ୍ତୋରାଁ, ଅଫିସ ଆଦିରେ ରୂପାନ୍ତର କରେ । ଏହି ଏୟାରବସ୍‌-ଏ୩୨୦ ପାଖାପାଖି ୨୦ ବର୍ଷ ଉଡିବା ପରେ ଏକ୍ସପାରି ହୋଇଯାଇଥିଲା । ପରେ ଏୟାର ଇଣ୍ଡିଆ ଏୟାରଲାଇନ୍ସରୁ ସେ ଏହି ବିମାନକୁ କିଣିଥିଲେ । ସାରା ଦେଶରେ ଏଭଳି ୩୦ରୁ ଅଧିକ ରେସ୍ତୋରାଁ ଖୋଲିସାରିଛୁ । ପ୍ରଥର ଥର ଓଡ଼ିଶାରେ ଏଭଳି ରେସ୍ତୋରାଁ ଖୋଲିବୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଓଡ଼ିଶାର ପ୍ରଥମ କାମ ପୁରୀରୁ ଆରମ୍ଭ ହେଉଛି । ଶ୍ରୀସେତୁଠାରୁ ୩ରୁ ୪ କିମି ଭିତରେ ଏହି ରେସ୍ତୋରାଁ ଖୋଲିବାର ଯୋଜନା ରହିଛି । ଏଥିରେ ଏକାସାଙ୍ଗରେ ୮୦ ଜଣ ବସି ଖାଇପାରିବେ । ଉଭୟ ଆମିଷ, ନିରାମିଷ ଖାଦ୍ୟ ମିଳିବ । ୪ ମାସ ମଧ୍ୟରେ ଏହି ରେସ୍ତୋରାଁ ଖୋଲିବ ବୋଲି ସେ କହିଛନ୍ତି ।

You might also like