ରାଷ୍ଟ୍ରପତି ଭବନରେ ସ୍ଥାପନ ହେବ ମହାପ୍ରଭୁଙ୍କ ରଥ ଚକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବ୍ୟବହୃତ ତିନି ରଥର ତିନିଟି ଚକ ରାଷ୍ଟ୍ରପତି ଭବନରେ ଶୋଭା ପାଇବ । ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସ୍ଥାୟୀ ପ୍ରତୀକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’, ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ ଏବଂ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥର ଚକଗୁଡ଼ିକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବା ନେଇ ମହାମହିମ ସମ୍ମତି ପ୍ରକାଶ କରିଛନ୍ତି ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।ପ୍ରତିବର୍ଷ ରଥଯାତ୍ରା ପରେ ବାର୍ଷିକ ରଥଯାତ୍ରାରେ ବ୍ୟବହୃତ ତିନିଟି ରଥକୁ ଭଙ୍ଗାଯାଏ । କାଠର କିଛି ଅଂଶ ଜଗନ୍ନାଥ ମନ୍ଦିର ରୋଷଘରେ ବ୍ୟବହୃତ ହେଉଥିବା ବେଳେ ରଥର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଭକ୍ତମାନଙ୍କ ମଧ୍ୟରେ ନିଲାମ କରାଯାଏ । ରଥଯାତ୍ରା ଉତ୍ସବ ପାଇଁ ପ୍ରତିବର୍ଷ ନୂଆ କାଠ ବ୍ୟବହୃତ ହୋଇ ନୂତନ ରଥ ନିର୍ମାଣ କରାଯାଏ ।ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ତିନିଟି ରଥ ବ୍ୟବହୃତ ହୋଇଥାଏ । ପ୍ରତିବର୍ଷ ଆଷାଡ଼ ଶୁକ୍ଲ ପକ୍ଷ ଦ୍ବିତୀୟ ତିଥିରେ ରଥାଯାତ୍ରାରେ, ରଥରେ ଚଢ଼ି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନବେଦୀରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ତିନିଠାକୁର । ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ 16ଟି ଚକ ଲାଗୁଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ 12ଟି ଏବଂ ପ୍ରଭୁ ବଳଭଦ୍ରଙ୍କ ତାଲଧ୍ୱଜ ରଥରେ 14ଟି ଚକ ଲାଗିଥାଏ ।