ଓଡ଼ିଶାରେ SIR ପ୍ରକ୍ରିୟା ସମୟସୀମା ବୃଦ୍ଧି । ସେପ୍ଟେମ୍ବର 21 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଓଡ଼ିଶାରେ SIR ପ୍ରକ୍ରିୟା ସମୟସୀମା ବୃଦ୍ଧି । ସେପ୍ଟେମ୍ବର 21 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ଓଡିଶାରେ ଘୁଞ୍ଚିଲା ଏସଆଇଆର ତାଲିକା ପ୍ରକାଶନ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ତାରିଖକୁ ସେପ୍ଟେମ୍ବର ୨୧ କୁ ଘୁଞ୍ଚାଇ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ (Election Commission Of India-ECI) । ତେବେ ଏହି ସଂଶୋଧନ କାର୍ଯ୍ୟ ପାଇଁ ଜୁଲାଇ ୧ ଯୋଗ୍ୟତା ତାରିଖ ଭାବେ ବଳବତ୍ତର ରହିବ ।SIR ସଂଶୋଧନ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଦାଖଲ ଅବଧିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଯାଏ ବୃଦ୍ଧି କରାଯାଇଛି । ଯାହାକି ଜୁଲାଇ ୫ ରୁ ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବାର ଥିଲା । ସେହିପରି ନୋଟିସ ଜାରି, ଆବେଦନ ଗୁଡ଼ିକର ଯାଞ୍ଚ, ଶୁଣାଣି, ଦାବି ଓ ଆପତ୍ତିର ସମାଧାନ ପାଇଁ ସୂଚୀକୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଜୁଲାଇ ୫ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥିଲା ।
ଓଡିଶାରେ ଏସଆଇଆର 2026 କାର୍ଯ୍ୟକ୍ରମ ମେ ୩୦ ରୁ ଆରମ୍ଭ ହୋଇଥିଲା। ମାସେ ବ୍ୟାପୀ ଚାଲିଥିବା ଘରକୁ ଘର ସର୍ଭେ ପରେ ଜୁଲାଇ ୫ ରେ ପ୍ରକାଶିତ ରାଜ୍ୟର ନୂତନ ଚିଠା ଭୋଟର ତାଲିକାରୁ ପ୍ରାୟ ୨୦.୧୪ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟ SIR ପରେ ନିର୍ବାଚନ କମିଶନ ପ୍ରାୟ ୪୬.୩୬ ଲକ୍ଷ ଭୋଟରଙ୍କ ବିବରଣୀରେ ଯୁକ୍ତିଯୁକ୍ତ ବିସଙ୍ଗତି ମଧ୍ୟ ଚିହ୍ନଟ କରିଛନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ପ୍ରାୟ ୧୨ ଲକ୍ଷ ଭୋଟର ମାନଚିତ୍ରିତ ହୋଇନଥିବା ଜଣାପଡ଼ିଛି।ଓଡ଼ିଶାରେ ବର୍ଷା ବିତ୍ପାତ ଓ ବନ୍ୟା ସ୍ଥିତି ଯୋଗୁଁ ଏହି କାର୍ଯ୍ୟରେ ସାମିଲ ଥିବା କର୍ମଚାରୀ ବିଭିନ୍ନ ସମସ୍ୟା ଭୋଗୁଥିବା ଦର୍ଶାଇ ପୂର୍ବରୁ ନିର୍ବାଚନ ଅଧିକାରୀ ଏଥିରେ ସ୍ଥାୟୀ ପଦକ୍ଷେପ ନେବାକୁ ବିଜେପି ପ୍ରତିନିଧି ମଣ୍ଡଳୀ ଦାବି କରିଥିଲା ।

You might also like