ରଥଯାତ୍ରା ପୂର୍ବରୁ ହୋଟେଲ ବୁକିଂ ଠକେଇକୁ ନେଇ ୨୩୮ଟି ନକଲି ୱେବସାଇଟ୍ ବ୍ଲକ୍

ପବିତ୍ର ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ସକ୍ରିୟ ହୋଇପଡ଼ିଛନ୍ତି ସାଇବର ଅପରାଧୀ। ବିଶେଷକରି ହୋଟେଲ ବୁକିଂ ନାଁରେ ଅନଲାଇନ୍ ଠକେଇ ଘଟଣା ବଢ଼ୁଥିବାରୁ ପୁରୀ ପୋଲିସ ଏବଂ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୨୩୮ଟି ନକଲି ୱେବସାଇଟ୍ ଏବଂ ୱେବପେଜ୍ ବ୍ଲକ୍ କରିଛି।ଭକ୍ତମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ସହରର ୭୭ଟି ହୋଟେଲର ଅଧିକୃତ Google ଲିଙ୍କ୍, ୱେବସାଇଟ୍, ଇ-ମେଲ୍ ଠିକଣା, ଯୋଗାଯୋଗ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରି ସାର୍ବଜନୀନ କରିଛି। ଏହା ମାଧ୍ୟମରେ ଶ୍ରଦ୍ଧାଳୁମାନେ ସିଧାସଳଖ ହୋଟେଲ ସହ ଯୋଗାଯୋଗ କରି ସୁରକ୍ଷିତ ଭାବେ ବୁକିଂ କରିପାରିବେ।ପୋଲିସ ସୂଚନା ଅନୁଯାୟୀ, କେତେକ ସାଇବର ଅପରାଧୀ ନକଲି ୱେବସାଇଟ୍, Google Business Profile, ସୋସିଆଲ ମିଡିଆ ପେଜ୍, WhatsApp ନମ୍ବର ଓ ନକଲି UPI QR କୋଡ୍ ବ୍ୟବହାର କରି ଅଗ୍ରିମ ଟଙ୍କା ଆଦାୟ କରୁଛନ୍ତି। ଟଙ୍କା ପୈଠ ପରେ ହୋଟେଲ ବୁକିଂ ହେଉନଥିବା କିମ୍ବା ଠକମାନେ ସମ୍ପୂର୍ଣ୍ଣ ଯୋଗାଯୋଗ ବନ୍ଦ କରିଦେଉଥିବାରୁ ପର୍ଯ୍ୟଟକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।ପୁରୀ ପୋଲିସ ଯାତ୍ରୀମାନଙ୍କୁ କେବଳ ଯାଞ୍ଚକୃତ ହୋଟେଲ ତାଲିକାରେ ଥିବା ଅଧିକୃତ ୱେବସାଇଟ୍, ଇ-ମେଲ୍ ଓ ଫୋନ୍ ନମ୍ବର ବ୍ୟବହାର କରି ବୁକିଂ କରିବାକୁ କହିଛି। କେବଳ ଫୋନ୍ କଲ୍ କିମ୍ବା ସୋସିଆଲ ମିଡିଆ ବାର୍ତ୍ତାକୁ ବିଶ୍ୱାସ କରି ଅଗ୍ରିମ ଟଙ୍କା ନ ପଠାଇବା, ପେମେଣ୍ଟ ପୂର୍ବରୁ ହୋଟେଲର ନାମ, ଠିକଣା, ମୋବାଇଲ୍ ନମ୍ବର ଓ ୱେବସାଇଟ୍ ଯାଞ୍ଚ କରିବା, ସନ୍ଦେହଜନକ ଲିଙ୍କ କିମ୍ବା ଅଜଣା ବ୍ୟକ୍ତିଙ୍କ ବ୍ୟାଙ୍କ/UPI ଆକାଉଣ୍ଟକୁ ଟଙ୍କା ନ ପଠାଇବା, ଅତ୍ୟଧିକ କମ୍ ଦାମର ପ୍ରଲୋଭନରୁ ଦୂରେଇ ରହିବା ଏବଂ ସମସ୍ତ ପେମେଣ୍ଟ୍ ରସିଦ ଓ ଇ-ମେଲ୍ ସଂରକ୍ଷଣ କରି ରଖିବାକୁ ପରାମର୍ଶ ଦିଆଯାଇଛି।ଯଦି କୌଣସି ବ୍ୟକ୍ତି ସାଇବର ଠକେଇର ଶିକାର ହୁଅନ୍ତି କିମ୍ବା ସନ୍ଦେହଜନକ ଘଟଣା ଦେଖନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନା, ପୁରୀ ପୋଲିସ କଣ୍ଟ୍ରୋଲ ରୁମ୍ କିମ୍ବା ସାଇବର ହେଲ୍ପଲାଇନ୍ 1930ରେ ଅଭିଯୋଗ କରିବାକୁ ଅନୁରୋଧ କରାଯାଇଛି।

You might also like